ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସନାତନ ଧର୍ମ ଉପରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ପୁଅଙ୍କ ବିବାଦୀୟ ବୟାନ। ଷ୍ଟାଲିନଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗ ସହ ତୁଳନା କରିଛନ୍ତି। ଏଥିସହ ସନାତନ ଧର୍ମ ସାମାଜିକ ନ୍ୟାୟ ଧାରଣା ବିରୁଦ୍ଧ, ଏହାକୁ ବିଲୋପ କରାଯିବା ଆବଶ୍ୟକ ବୋଲି ଏକ ସଭାରେ ଅଭିଭାଷଣ ଦେଇ କହିଛନ୍ତି। ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଭିନ୍ନ ରାଜନୈତିକ ଦଳ ତଥା ଧାର୍ମିକ ସଙ୍ଗଠନ ପକ୍ଷରୁ ତାଙ୍କୁ କଡା ବିରୋଧ କରାଯାଉଛି।
ଗତ ସେପ୍ଟେମ୍ବର ୨ରେ ଚେନ୍ନାଇରେ ଏକ ସମ୍ମିଳନୀକୁ ସମ୍ବୋଧିତ କରି ଉଦୟାନିଧି କହିଥିଲେ ଯେ, “କିଛି ଜିନିଷ ଅଛି ଯାହାକୁ ଆମକୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବାକୁ ପଡିବ, କେବଳ ବିରୋଧ କଲେ ହେବନି। ଡେଙ୍ଗୁ, କରୋନା ଏବଂ ମ୍ୟାଲେରିଆ ଠିକ୍ ଏହିପରି, ଯାହାକୁ କେବଳ ବିରୋଧ ନୁହେଁ ସମ୍ପୂର୍ଣ୍ଣ ରୂପେ ହଟାଇବା ଉଚିତ୍। ସନାତନ ଧର୍ମ ମଧ୍ୟ ଏହି ରୋଗଗୁଡିକ ପରି। ଆମର ପ୍ରଥମ କାର୍ଯ୍ୟ ହେଉଛି ସନାତନକୁ ବିରୋଧ କରିବା ନୁହେଁ ବରଂ ଏହାର ବିଲୋପ କରିବା। ସନାତନାର ନାମ ସଂସ୍କୃତରୁ ଆସିଛି। ଏହା ସାମାଜିକ ନ୍ୟାୟ ଏବଂ ସମାନତା ବିରୁଦ୍ଧରେ। ତେଣୁ ଏହାକୁ ବିରୋଧ ନୁହେଁ ହଟାଇବା ଉଚିତ।”
ସେପଟେ ଷ୍ଟାଲିନଙ୍କ ଏପରି ମନ୍ତବ୍ୟ ପରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କଡା ସମାଲୋଚନା କରିଛନ୍ତି। ସେ ଉଦୟାନିଧିଙ୍କ ଭିଡିଓକୁ ଟ୍ୱିଟ କରି କହିଛନ୍ତି ଯେ, ଡିଏମକେର ଜଣେ ନେତା ତଥା ମନ୍ତ୍ରୀ ସନାତନ ଧର୍ମକୁ ନେଇ ଏପରି ବୟାନ୍ ଦେଇଛନ୍ତି, ଯାହା 80 ପ୍ରତିଶତ ଜନତାଙ୍କୁ ବିଲୋପ କରିଦେବାକୁ ଆହ୍ୱାନ କରୁଛି, ଯେଉଁମାନେ କି ସନାତନ ଧର୍ମର ଉପାସକ। ଡିଏମକେ ହେଉଛି ବିରୋଧୀ ମେଣ୍ଟର ଏକ ପ୍ରମୁଖ ସଦସ୍ୟ ଏବଂ କଂଗ୍ରେସର ଦୀର୍ଘଦିନର ସହଯୋଗୀ। ସନାତନ ଧର୍ମ ବିରୁଦ୍ଧରେ ଏପରି ବୟାନ ଦେବାକୁ ମୁମ୍ବାଇ ମିଟିଂରେ କଣ ସହମତ ଦିଆଯାଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଅମିତ ମାଲବ୍ୟ।
ଅନ୍ୟପଟେ ମାଲବ୍ୟଙ୍କ ଏହି ପୋଷ୍ଟ ପରେ ପ୍ରତିକ୍ରିୟା ରଖି ଉଦୟାନିଧି କହିଛନ୍ତି ଯେ, ଯେଉଁମାନେ ସନାତନ ଧର୍ମ ଉପାସକ ସେମାନଙ୍କ ବିଲୋପ ପାଇଁ ମୁଁ କହିନାହିଁ। ସନାତନ ଧର୍ମ ପାଇଁ କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରଭାବିତ ହେଉଥିବାରୁ ଧର୍ମକୁ ବିଲୋପ କରିବାର ଆବଶ୍ୟକତା ଥିବା କହିଛି। ଯଦି ଏହି ମନ୍ତବ୍ୟକୁ ନେଇ ଆଗକୁ ବିବାଦୀୟ ପରିସ୍ଥିତି ଉପୁଜେ, ତେବେ ମୁଁ ସମସ୍ତ ଆଇନର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ଅଛି। ଏଭଳ ଧମକରେ ଆମେ ଭୟଭୀତ ହେବୁ ନାହିଁ। ଆମେ ସାମାଜିକ ନ୍ୟାୟକୁ ସମର୍ଥନ କରିବା ଏବଂ ସମାନତା ପାଇଁ ସର୍ବାଦା ଲଢିବୁ। ମୁଁ ଏହା କାଲି କହିଥିଲି, ଆଜି କହୁଛି ଆସନ୍ତାକାଲି ମଧ୍ୟ କହିବି ବୋଲି ଷ୍ଟାଲିନ୍ କହିଛନ୍ତି ।





