ଆଉ ବାଲିଘାଟରୁ ଉଠି ପାରିବନି ବାଲି: ଖଣି ବିଭାଗ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଏଣିକି ଆଉ ବାଲିଘାଟରୁ ବାଲି ଉଠି ପାରିବନାହିଁ। ଏ ନେଇ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି ହାଇକୋର୍ଟ। ଫଳରେ ବାଲିକୁ ନେଇ ଏବେ ସାରା ରାଜ୍ୟରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ସୂଚନା ଅନୁଯାୟୀ, ନିୟମ ଉଲ୍ଲଂଘନ କରି ମେସିନ ଲଗାଇ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ଏହା ଉପରେ ହାଇକୋର୍ଟ ରୋକ୍ ଲଗାଇଥିଲେ।

ମାମଲା ବିଚାରାଧୀନ ଥିବା ବେଳେ ସରକାରଙ୍କ ପକ୍ଷରୁ କିନ୍ତୁ ଗତ ଡିସେମ୍ବର ୨୧ରେ ଏନେଇ ସାନି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସାନି ବିଜ୍ଞପ୍ତିରେ ମଧ୍ୟ ବାଲି ଉତ୍ତୋଳନ ଲାଗି ଆବଶ୍ୟକ ସ୍ଥଳେ ମେସିନ୍ ବ୍ୟବହାର ପାଇଁ ଅନୁମତି ରହିଥିଲା। ବୁଧବାର ମାମଲାର ଶୁଣାଣି ବେଳେ ସରକାରଙ୍କ ସାନି ବିଜ୍ଞପ୍ତି କଥା ଉଠିଥିଲା। ଏହି ବିଜ୍ଞପ୍ତି ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହିତ ବିଜ୍ଞପ୍ତି ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି। ଫଳରେ ସରକାରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ସାରା ରାଜ୍ୟରେ ବାଲିଘାଟରୁ ବାଲି ଉତ୍ତୋଳନ ପାଇଁ ଡିସେମ୍ବର ୨୧ରେ ଜାରି ବିଜ୍ଞପ୍ତି ଆଉ ଏବେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ହାଇକୋର୍ଟ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଫେବ୍ରୁଆରି ୧ରେ ପରବର୍ତ୍ତୀ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ୍‌ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶାନ୍ତ କୁମାର ଦାସଙ୍କ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ l, ୨୦୨୩ ଡିସେମ୍ବର ୨୧ରେ ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଡିସେମ୍ବର ୧୪ର ସତ୍ୟପାଠ ଦାଖଲ ବେଳକୁ ୧୧ଟି ବାଲିଘାଟ ଲିଜ୍ ସାମୟିକ ଭାବେ ବାତିଲ (ସସ୍‌ପେଣ୍ଡ) କରାଯାଇଛି। ବେଆଇନ ବାଲି ଉତ୍ତୋଳନ ପାଇଁ ଲିଜ୍‌ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସତ୍ୟପାଠ ଦାଖଲ ପରେ ଆଉ ତିନୋଟି ବାଲିଘାଟର ଲିଜ୍ ସାମୟିକ ଭାବେ ବାତିଲ କରାଯିବା ସହିତ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ତଥ୍ୟ ବିଚାରକୁ ନେଇ ହାଇକୋର୍ଟ ଶୀତ ଅବକାଶ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଥିଲେ।

ବୁଧବାର ଶୁଣାଣି ସମୟରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଡିସେମ୍ବର ୨୧ରେ ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିବା ବେଳେ ସେହିଦିନ ଇସ୍ପାତ ଓ ଖଣି ବିଭାଗ ତରଫରୁ ବାଲିଘାଟରୁ ବାଲି ଉତ୍ତୋଳନ ନିୟମାବଳୀ ସଂପର୍କିତ ସାନି ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ହାଇକୋର୍ଟରେ ସେ ଦିନ ସରକାରଙ୍କ ତରଫରୁ ଏନେଇ କିଛି ସୂଚନା ଦିଆଯାଇ ନଥିଲା। ଡିସେମ୍ବର ୨୧ର ବିଜ୍ଞପ୍ତି ପରଦିନ ଡିସେମ୍ବର ୨୨ରେ ବିଭିନ୍ନ ବାଲିଘାଟକୁ କଟକ ସର୍କଲ ଖଣି ଅଧିକାରୀ ଅନୁମତି ଦେଇଥିଲେ। ନିୟମ ଓ ଚୁକ୍ତିରେ ରହିଥିବା ସର୍ତ୍ତ ଉଲ୍ଲଂଘନ କରି ମେସିନ ସାହାଯ୍ୟରେ ଏହି ସବୁ ଘାଟରୁ ବାଲି ଉତ୍ତୋଳନ ଆରମ୍ଭ ହୋଇଥିଲା। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ବିନା ଅନୁମତିରେ କେଉଁ ପରିସ୍ଥିତିରେ ଡିସେମ୍ବର ୨୧ର ବିଜ୍ଞପ୍ତି ସରକାର ଜାରି କରିଥିଲେ ତାକୁ ନେଇ ଆବେଦନକାରୀ ପ୍ରଶ୍ନ ଉଠାଇଥିଲେ। ନୂଆ ବିଜ୍ଞପ୍ତିରେ ମଧ୍ୟ ନିୟମ ଉଲ୍ଲଂଘନ କରି ବାଲି ଉତ୍ତୋଳନ କ୍ଷେତ୍ରରେ ମେସିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ହାଇକୋର୍ଟ ଏହି ବିଜ୍ଞପ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଏହାର କାର୍ଯ୍ୟକାରିତା ଉପରେ ଅଙ୍କୁଶ ଜାରି କରିଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ମାମଲା ପରିଚାଳନା କରୁଛନ୍ତି।

Related Posts