ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ ): ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ଓ ଦୁଇ ଘନିଷ୍ଠ ସହଯୋଗୀଙ୍କୁ ସମ୍ପତ୍ତି ସଂଲଗ୍ନ କରିବାର ଗୋଟିଏ ଦିନ ପରେ ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଆଇଏନଏସ ବିକ୍ରାନ୍ତର ସଂରକ୍ଷଣ ଲାଗି ସଂଗ୍ରହ କରାଯାଇଥିବା ୫୦ କୋଟି ଟଙ୍କାର ପାଣ୍ଠି ଏବେ କାହା ପାଖରେ ଅଛି ବୋଲି ରାଜ୍ୟ ବିଜେପିକୁ ପ୍ରଶ୍ନ କରିଛନ୍ତି ସଞ୍ଜୟ ରାଉତ।ଆଇଏନଏସ ବିକ୍ରାନ୍ତ ଲାଗି ସଂଗୃହୀତ ଏହି ବିଶାଳ ପାଣ୍ଠିକୁ କିରିଟ ସୋମୟା ହଡପ କରିଯାଇଥିବାର ସଞ୍ଜୟ ରାଉତ ସିଧାଶଳଖ ଅଭିଯୋଗ କରିଛନ୍ତି। ରାଉତ କହିଛନ୍ତି ଯେ ୧୯୭୧ ଭାରତ-ପାକ ଯୁଦ୍ଧରେ ନୌସେନା ଯୁଦ୍ଧ ତରୀ ଆଇଏନଏସ୍ ବିକ୍ରାନ୍ତର ଭୂମିକା ଉଲ୍ଲେଖନୀୟ ଥିଲା। ଏଣୁ ଯୁଦ୍ଧତରୀକୁ ସଂଗ୍ରହାଳୟରେ ରୂପାନ୍ତରିତ କରିବା ପାଇଁ ତତ୍କାଳୀନ ବିଜେପି ସରକାର ନିଷ୍ପତ୍ତି ନେଇଥିଲେ।
ହେଲେ ଜାହାଜଟି ଯୁଦ୍ଧରେ ଗୁରୁତର କ୍ଷତିଗ୍ରସ୍ତ ହୋଇଥିବାରୁ ଏହାର ମରମାମତି ଓ ସଂରକ୍ଷଣ ବାବଦେ ୨୦୧୯ରେ ଏକ ଅଭିଯାନ ଚଳାଯାଇଥିଲା। କିରିଟ ସୌମେୟା ଏହି ଅଭିଯାନର ନେତୃତ୍ୱ ନେଇଥିବା ବେଳେ ମହାରାଷ୍ଟ୍ରରେ ଲୋକଙ୍କ ଠାରୁ ୫୦ କୋଟି ଟଙ୍କାର ଏକ ବିଶାଳ ପାଣ୍ଠି ସଂଗୃହୀତ ହୋଇପାରିଥିଲା। ତେବେ ପରେ ଆଇଏନଏସ ବିକ୍ରାନ୍ତକୁ ସଂଗ୍ରହାଳୟ କରିବାକୁ ସରକାର ଯୋଜନା ପ୍ରତ୍ୟାହାର କରିନେଇଥିବା ବେଳେ ଜାହାଜକୁ ଇତିମଧ୍ୟରେ ଭଙ୍ଗାଯାଇସାରିଲାଣି। ତେବେ ଏହି ଜାହାଜର ପୁନର୍ବିନ୍ୟାସ ଲାଗି ଜନତାଙ୍କଠାରୁ ସଂଗୃହୀତ ଅର୍ଥ ତତ୍କାଳୀନ ବିଜେପିସରକାର କଲେ କଣ ଓ କାହାପାଖରେ ଏହି ପାଣ୍ଠି ରହିଛି ସେ ବାବଦେ ସଞ୍ଜୟ ରାଉତ ପ୍ରଶ୍ନ କରିଛନ୍ତି। ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ଭାରତୀୟ ଜନତା ପାର୍ଟିର ଚିନ୍ତା ବଢ଼ି ଯାଇଛି । ଏବଂ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।





