ସଞ୍ଜୟ ରାଉତଙ୍କ ବଡ ଅଭିଯୋଗ; ‘ଶିବସେନାର ଚିହ୍ନ ଏବଂ ନାମ ପାଇଁ ୨ ହଜାର କୋଟି ଟଙ୍କାର ଡିଲ୍ ହୋଇଛି’

ଭୁବନେଶ୍ୱର,୧୯/୨(ସତ୍ୟପାଠ ବ୍ୟୁରୋ): ଶିବସେନା ଦଳର ନାମ ଏବଂ ନିର୍ବାଚନୀ ଚିହ୍ନକୁ ନେଇ ଆରମ୍ଭ ହୋଇଥିବା ବିବାଦ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ମଧ୍ୟ ଥମିବାର ନାମ ନେଉନାହିଁ । ନିର୍ବାଚନ ଆୟୋଗ (ଇସି) ଶିବସେନା ଦଳର ନାମ ଏବଂ ଏହାର ନିର୍ବାଚନ ଚିହ୍ନ ‘ଧନୁତୀର’କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଦେବାକୁ ନିଷ୍ପତ୍ତି ଶୁଣାଇଛନ୍ତି । ହେଲେ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତି ଗ୍ରହଣ କରିବାକୁ ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ପ୍ରସ୍ତୁତ ନୁହେଁ । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ବିରୋଧରେ ଉଦ୍ଧବ ଗୋଷ୍ଠୀ ସୁପ୍ରିମକୋର୍ଟକୁ ଯିବ ବୋଲି ଘୋଷଣା କରିଛି । ତେବେ ଏହି ରାଜନୈତିକ ଉଷ୍ମତା ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ, ଦଳର ନାମ ଓ ନିର୍ବାଚନ ଚିହ୍ନ ପାଇଁ ୨ ହଜାର କୋଟି ଟଙ୍କାର ଏକ ଡ଼ିଲ୍ ହୋଇଛି । ଭବିଷ୍ୟତରେ ଏନେଇ ସେ ଆହୁରି ବଡ ଖୁଲାସା କରିବେ ବୋଲି ମଧ୍ୟ କହିଛନ୍ତି ।

ସଞ୍ଜୟ ରାଉତ ଟ୍ୱିଟ୍ କରିଛନ୍ତି ଯେ, ମୋର ବିଶ୍ବାସ ଯେ, ନିର୍ବାଚନୀ ଚିହ୍ନ ଏବଂ ଦଳର ନାମ ହାସଲ କରିବା ପାଇଁ ଏପର୍ଯ୍ୟନ୍ତ ୨ ହଜାର କୋଟି ଟଙ୍କାର ଦେଣନେଣ ହୋଇଛି । ଏହା ଏକ ପ୍ରାଥମିକ ଆକଳନ ଏବଂ ୧୦୦ ପ୍ରତିଶତ ସତ୍ୟ ଅଟେ । ଖୁବ୍ ଶୀଘ୍ର ଆହୁରି ଅନେକ ଜିନିଷ ସାମ୍ନାକୁ ଆସିବ । ଦେଶର ଇତିହାସରେ ଏହା କେବେ ହୋଇ ନଥିଲା । ଏହାପୂର୍ବରୁ ସଞ୍ଜୟ ରାଉତ ନିର୍ବାଚନ ଆୟୋଗଙ୍କ ଏହି ନିଷ୍ପତ୍ତିକୁ ଏକ ପ୍ରକାର ରାଜନୈତିକ ହିଂସା ବୋଲି ବର୍ଣ୍ଣନା କରିଥିଲେ । ଦଳକୁ ଧ୍ୱଂସ କରିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଥିଲେ । ପାର୍ଟୀ ଏବଂ କର୍ମୀମାନେ ଉଦ୍ଧବ ଠାକରେଙ୍କ ସହ ଅଛନ୍ତି । ଆଇନଗତ ଯୁଦ୍ଧ ଜାରି ରହିବ ।

ଉଲ୍ଲେଖନୀୟ ବିଷୟ ହେଉଛି ଯେ, ଶିବସେନା ୧୯୬୬ ମସିହାରେ ଉଦ୍ଧବ ଠାକରେଙ୍କ ପିତା ବାଲା ସାହେବ୍ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏକନାଥ ସିନ୍ଦେ ଗତ ଜୁନ୍ ୨୦୨୨ରେ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ଏବଂ ବିଜେପି ସହ ମିଳିତ ଭାବେ ମହାରାଷ୍ଟ୍ରରେ ସରକାର ଗଠନ କରିଥିଲେ ।

Related Posts