ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସର ପ୍ରାର୍ଥୀ ଚୟନ ଅପାତତଃ ଶେଷ ହୋଇଛି। ସତ୍ୟଭୂଷଣ ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ସ୍ଥିର କରିଛି। ହେଲେ ଦଳ ପକ୍ଷରୁ ଅଫିସିଆଲି ଘୋଷଣା କରାଯାଇ ନାହିଁ। ଆଜି ଏପରି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀ ପତି।
ସେ କହିଛନ୍ତି ଯେ, ଖୁବଶୀଘ୍ର ଦଳ ସତ୍ୟଭୂଷଣ ସାହୁଙ୍କ ନାଁ ଘୋଷଣା କରିବ।ଦୁଇରୁ ତିନି ଦିନ ଭିତରେ ସତ୍ୟଭୂଷଣ ନାମାଙ୍କନପତ୍ର ଦାଖଲ କରିବେ। ମୁଁ ତାଙ୍କ ସହ ଦୁଇରୁ ତିନି ଥର କଥା ହୋଇଛି। ତାଙ୍କର ଟିକେ ଅର୍ଥର ଅଭାବ ରହିଛି ତଥାପି ଆମେ ସେଠାରେ ଜିତିବୁ ବୋଲି ସେ କହିଛନ୍ତି।
ତାରା ଆହୁରି କହିଛନ୍ତି ଯେ, ବିଜେପି ଚାଷୀ ମାନଙ୍କୁ ବିରୋଧ କରୁଛି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରୁ ନାହିଁ। ଅନ୍ୟପକ୍ଷରେ ବିଜେଡି ଚାଷୀମାନଙ୍କୁ ଭୁବନେଶ୍ୱରରେ ପୂରାଇ ଦେଉ ନାହିଁ। ଚାଷୀମାନେ ଅସନ୍ତୁଷ୍ଟ ରହିଲେ ଗାଁରେ ବିଜେଡି ଓ ବିଜେପି କିପରି ଭୋଟ୍ ପାଇବେ? ଚାଷୀମାନେ କଂଗ୍ରେସକୁ ଭୋଟ୍ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପଦ୍ମପୁରରେ କଂଗ୍ରେସ ହିଁ ଜିତିବ।
କଂଗ୍ରେସ ପାଖରେ ପଇସା ଥିଲେ ପ୍ରତି ନିର୍ବାଚନରେ ଶହେ ଶହେରେ ଖେଳ କରୁଥାଆନ୍ତୁ। ଆମେ ୧୦ରୁ ୨୦ରେ ଖେଳ କରୁଛୁ। କିନ୍ତୁ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସ ଶହେ ଶହେରେ ଖେଳ କରିବ। ଚାଷୀ ମାନେ ଟଙ୍କା ନେଇ ଭୋଟ ଦିଅନ୍ତନି । ସେମାନେ କେବଳ କଂଗ୍ରେସର ହାତ ଚିହ୍ନରେ ଭୋଟ ଦେବେ ବୋଲି ତାରା କହିଛନ୍ତି।
ସୂଚନାଯୋଗ୍ୟ ଯେ, ସତ୍ୟଭୂଷଣ ସାହୁ କଂଗ୍ରେସର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ। ସେ ପଦ୍ମପୁର ବିଧାନସଭା ଆସନରୁ ୩ ଥର ବିଜୟୀ ହୋଇଥିଲେ। ୧୯୮୦ରେ ସତ୍ୟଭୂଷଣ ସାହୁ କଂଗ୍ରେସ ଟିକେଟ୍ରେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ ସେ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ବିଜୟ ହୋଇଥିଲେ। ତା’ପରେ ସେ ୨୦୦୪ରେ ତୃତୀୟ ଥର ପାଇଁ ଏହି ଆସନରୁ ଜିତିଥିଲେ।
ଆଜି ବିଜେପି ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି। ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଏହି ଘୋଷଣା କରାଯାଇଛି। ହେଲେ ଶାସକ ଦଳ ବିଜେଡି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ। ବିଧାୟକ ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ପରଠାରୁ ପଦ୍ମପୁର ବିଧାନସଭା ଆସନଟି ଖାଲି ପଡ଼ିଛି।





