ଧାରଣାରତ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ସତ୍ୟପାଲ ମଲିକ; କହିଲେ, ‘ଇତିହାସ ଆପଣଙ୍କୁ ମନେ ରଖିବ’

ଭୁବନେଶ୍ୱର,୨୬/୪(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ମହାଂସଘର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ସିଂହ ବିରୋଧରେ କୁସ୍ତି ଯୋଦ୍ଧାମାନେ ଆନ୍ଦୋଳନ ଜାରି ରଖିଛନ୍ତି। ବ୍ରିଜ୍ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗରେ ମାମଲା ରୁଜୁ କରିବା ଦାବିରେ ସେମାନେ ଧାରଣାରେ ବସିଛନ୍ତି। ଏହି କ୍ରମରେ ବୁଧବାର ଧାରଣାସ୍ଥଳରେ ପହଞ୍ଚିଥିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟାପାଲ ମଲିକ।

ସେ କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରି କହିଥିଲେ ‌ଯେ, ଏହି ଲଢ଼େଇ କେବଳ କୁସ୍ତିଯୋଦ୍ଧାଙ୍କ ନୁହେଁ ବରଂ ଦେଶର ସବୁ ମହିଳାଙ୍କର। ସେ ଆହୁରି କହିଛନ୍ତି, ମୁଁ ଏହି ମହିଳାଙ୍କୁ କହିବି ସେମାନେ ଧର୍ଯ୍ୟ ରଖନ୍ତୁ କାରଣ ଆପଣ ଏ ଲଢେଇରେ ସଫଳ ହେବେ। ମୁଁ ମଧ୍ୟ ତାଙ୍କ ପାଇଁ ବ୍ୟକ୍ତିଗତ ଭାବରେ ଯାହା କରିପାରିବି ତାହା କରିବି। ସେମାନଙ୍କ ପଛରେ ପୂରା ଦେଶ ଅଛି। କୁସ୍ତିରେ ଭ୍ରଷ୍ଟାଚାର ଦୂର କରିବା ପାଇଁ ଆପଣଙ୍କୁ ଇତିହାସ ମନେ ରଖିବ ବୋଲି ସତ୍ୟପାଲ କହିଛନ୍ତି। ଏହି ସମୟରେ କୃଷକ ଆନ୍ଦୋଳନ କଥା କହି ସତ୍ୟପାଲ କହିଥିଲେ ଯେ, କୃଷି ଆନ୍ଦୋଳନ ସମୟରେ ସବୁ ବାଧା ବିଘ୍ନ ସତ୍ତ୍ୱେ ଚାଷୀମାନେ ପଛକୁ ହଟିନଥିଲେ ଶେଷରେ ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ଠିକ୍ ସେହିପରି ଆପଣମାନେ ବି ନିଶ୍ଚୟ ଏ ଆନ୍ଦୋଳନରେ ସଫଳ ହେବେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କୁସ୍ତିଯୋଦ୍ଧାମାନଙ୍କ ଏହି ଧାରଣା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। କୁସ୍ତିଯୋଦ୍ଧାମାନେ ସୁପ୍ରିମକୋର୍ଟରେ ମଧ୍ୟ ଅପିଲ୍‌ କରି ବ୍ରିଜ୍ ଭୂଷଣଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ତାଙ୍କର ଅପିଲ୍‌ ଉପରେ ଅଦାଲତ ଦିଲ୍ଲୀ ପୋଲିସ୍‌କୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ଆନ୍ଦୋଳନ କରୁଥିବା କୁସ୍ତିଯୋଦ୍ଧା ବିନେଶ ଫୋଗାଟ କହିଛନ୍ତି l, ଆମକୁ ଅଭିଯୋଗ ଫେରାଇନେବାକୁ ଧମକ ଦିଆଯାଉଛି। ସେହିପରି ବଜରଙ୍ଗ ପୁନିଆ କହିଛନ୍ତି, ବ୍ରିଜ୍ ଭୂଷଣ ସିଂହଙ୍କ ଲୋକମାନେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳାମାନଙ୍କ ପରିଜନଙ୍କୁ ଧମକ ଦେଉଛନ୍ତି।

Related Posts