ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀର ସ୍ୱାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ମସାଜ୍ କରାଯାଉଥିବା ଭିଡିଓ ଭାଇରାଲ ଘଟଣାକୁ ନେଇ ରାଜନୀତିକ ଜୋର ଧରିଛି। ବିଜେପି ଓ ଆପ୍ ଏହି ଘଟଣାକୁ ନେଇ ମୁହାଁମୁହିଁ ହେଉଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସ୍ୱତନ୍ତ୍ର କୋର୍ଟ।
କୋର୍ଟ ଏହାକୁ ଗମ୍ଭୀର ଅବହେଳା ବୋଲି କହିଛନ୍ତି। ଏଥିସହ ଏହା ଅଦାଲତ ଅବମାନନା ଭିତରେ ଆସୁଛି କି ନାହିଁ, ସେକଥା ଜଣାଇବାକୁ ଇଡିକୁ କହିଛନ୍ତି। କାରଣ ସିସିଟିଭି ଫୁଟେଜକୁ ଲିକ୍ ନ କରିବାକୁ ଇଡି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲା। ତଥାପି ସତ୍ୟେନ୍ଦ୍ର lଙ୍କ ମାଲିସ ବେଳର ଭିଡିଓ ସାମ୍ନାକୁ ଆସିଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ଅନୁସାରେ, ଶନିବାର ବିଜେପିର ଏକାଧିକ ନେତା ତିହାର ଜେଲ ଭିତରେ ଥିବା ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମାଲିସ ବେଳର ଭିଡିଓକୁ ସୋଶାଲ ମିଡିଆରେ ପୋଷ୍ଟ କରି ଭାଇରାଲ କରିଥିଲେ। ଏଥିସହ ଜେଲରେ ମିଳୁଥିବା ଭିଭିଆଇପି ସୁବିଧାକୁ ନେଇ ଆପ୍କୁ ଟାର୍ଗେଟ କରିଥିଲେ। ଭିଡିଓ ଭାଇରାଲ ହେବା ପରେ ଜୈନଙ୍କ ଓକିଲ ତୁରନ୍ତ କୋର୍ଟରେ ପହଞ୍ଚି ଇଡି ବିରୋଧରେ ଅଦାଲତ ଅବମାନନା କେସ୍ ଚଳାଇବାକୁ ଆବେଦନ କରିଛନ୍ତି।
ଜୈନଙ୍କ ଲିଗାଲ ଟିମ କହିଛି ଯେ, ସତ୍ୟପାଠ ଦାଖଲ ସତ୍ତ୍ୱେ ଇଡି ସିସିଟିଭି ଫୁଟେଜକୁ ଲିକ କରିଛି। ତେଣୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହା ଶୁଣିବା ପରେ ସ୍ୱତନ୍ତ୍ର ଜଜ ବିକାଶ ଧୁଲ ଇଡିକୁ ନୋଟିସ କରିଛନ୍ତି। ଆସନ୍ତା ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି।
ଶନିବାର ସକାଳ ଠାରୁ ଜେଲ ଭିତରେ ସତ୍ୟେନ୍ଦ୍ର ଜୈନଙ୍କୁ ଦିଆଯାଉଥିବା ସଂପୂର୍ଣ୍ଣ ବଡି ମସାଜର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦୁଇ ଦିନ ତଳେ ବିଜେପି ଜେଲରେ ସତ୍ୟେନ୍ଦ୍ର ଜୈନଙ୍କୁ ଭିଭିଆଇପି ସୁବିଧା ମିଳୁଥିବା ଅଭିଯୋଗ କରିଥିଲା। ଏଥିପାଇଁ ଦଳ ପକ୍ଷରୁ ଜୈନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବି କରାଯାଇଥିଲା। ଏହି ଦାବିର ଦୁଇ ଦିନ ପରେ ଭିଡିଓ ସାମ୍ନାକୁ ଆସିଛି। ଭିଡିଓକୁ ୧୩ ସେପ୍ଟେମ୍ବରର ବୋଲି କୁହାଯାଉଛି। ତେବେ ଆପ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଡାକ୍ତରଙ୍କ ପରାମର୍ଶ କ୍ରମେ ସତ୍ୟେନ୍ଦ୍ରଙ୍କୁ ଫିଜିଓଥେରାପି ଚିକିତ୍ସା ଦିଆଯାଇଛି।





