SCB ର ICU ଅଗ୍ନିକାଣ୍ଡ: ଆହତ ରୋଗୀଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର:ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ SCB ର ICU ରେ ଘଟିଥିବା ଅଗ୍ନିକାଣ୍ଡ ପରେ ପରିସ୍ଥିତି ନିରୀକ୍ଷଣ କରିଥିଲେ। ସେ କ୍ଷତିଗ୍ରସ୍ତ ICU ବିଭାଗ ବୁଲି ଦେଖିବା ସହ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଆହତ ରୋଗୀମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ସ୍ଥିତି ବିଷୟରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ।କଟକର ବଡ଼ ଡାକ୍ତରଖାନା ଭାବେ ପରିଚିତ ଏହି ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ସଂସ୍ଥାର ICU ରେ ଏଭଳି ଦୁର୍ଘଟଣା ଘଟିଥିବାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିଥିଲେ।ସେ କହିଥିଲେ ଯେ, ପୂର୍ବତନ ବିଜେଡି ସରକାର ସମୟରେ SCB ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଗଢ଼ି ତୋଳିବା ପାଇଁ ବ୍ୟାପକ ଉନ୍ନୟନ କାମ ଆରମ୍ଭ କରାଯାଇଥିଲା। କିନ୍ତୁ ବର୍ତ୍ତମାନର ବିଜେପି ସରକାର ଏହି ଉନ୍ନୟନ କାମରେ ଗୁରୁତର ଅବହେଳା କରିଥିବାର ଅଭିଯୋଗ ସେ ଉଠାଇଥିଲେ।“ଆଜିର ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡ଼ିଯାଇଥିବାର ଏକ ଦୁଃଖଦ ଉଦାହରଣ,” ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂଙ୍କସମେତ ବିଜେଡିର ଅନ୍ୟାନ୍ୟ ନେତୃବର୍ଗ ମଧ୍ୟ ମେଡିକାଲ କଲେଜକୁ ଯାଇ ପରିସ୍ଥିତିର ଖୋଜଖବର ନେଇଥିଲେ।

Related Posts