ଦିନିକିଆ ବିଶ୍ୱକପ ପାଇଁ ଜାରି ହେଲା କାର୍ଯ୍ୟସୂଚୀ: ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ଲଢେଇ

ଭୁବନେଶ୍ୱର, ୨୭/୦୬ (ସତ୍ୟପାଠ ବ୍ୟୁରୋ): ଆରମ୍ଭ ହେବ କ୍ରିକେଟ ମହାକୁମ୍ବ । ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କଲା ବିସିସିଆଇ । ୧୫ ଅକ୍ଟୋବରରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୫ରେ ବିଶ୍ୱକପର ପ୍ରଥମ ମୁକାବିଲା ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅହମ୍ମଦାବାଦରେ ଖେଳାଯିବ ।

ସେପଟେ ଅକ୍ଟୋବର ୮ରେ ବିଶ୍ୱକପରେ ଭାରତ ନିଜର ଅଭିଯାନ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ କରିବ। ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ମ୍ୟାଚ ଅକ୍ଟୋବର ୧୧ରେ, ତୃତୀୟ ମ୍ୟାଚ୍ ପାକିସ୍ତାନ ବିପକ୍ଷରେ, ଚତୁର୍ଥ ମ୍ୟାଚରେ ବାଂଲାଦେଶକୁ ଭେଟିବ ଭାରତ । ସେହିଭଳି ୫ମ ମ୍ୟାଚରେ ନ୍ୟୁଜିଲାଣ୍ଡ, ୬ଷ୍ଠ ମ୍ୟାଚରେ ଇଂଲଣ୍ଡ ଓ ଅଷ୍ଟମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ସେହିଭଳି ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦୁଇ ଦଳ ସହ ସପ୍ତମ ଓ ନବମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ମୁ୍ମ୍ବାଇ ଓ କୋଲକାତାରେ ବିଶ୍ୱକପର ସେମିଫାଇନାଲ ମୁକାବିଲା ଖେଳାଯିବ । ଫାଇନାଲ ମୁକାବିଲା ନଭେମ୍ବର ୧୯ରେ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ।

ଚଳିତଥର କାର୍ଯ୍ୟସୂଚୀ ପ୍ରକାଶ ପାଇବାରେ ବିଳମ୍ବ ହେବାର ବଡ କାରଣ ସାଜିଥିଲା ପାକିସ୍ତାନ କ୍ରିକେଟ ବୋର୍ଡ। ବିଶ୍ୱକପର ମ୍ୟାଚକୁ କୌଣସି ନିରପେକ୍ଷ ସ୍ଥାନରେ କରିବାକୁ ପାକିସ୍ତାନ ଦାବି କରିଥିଲା । ତେବେ ଆଇସିସି ପକ୍ଷରୁ ଏହାକୁ ଖାରଜ କରିବା ପରେ ଷ୍ଟାଡିୟମରେ ଖେଳିବାକୁ ନେଇ କେଁ ପୂରାଇଥିଲା । ତେବେ ଆଇସିସି ପକ୍ଷରୁ ପିସିବିର କୌଣସି ସର୍ତ୍ତକୁ ଗ୍ରହଣ କରାଯାଇନଥିଲା । ଫଳେରେ ବାଧ୍ୟ ହୋଇ ମୁଣ୍ଡ ନୁଆଁଇଥିଲା ପାକିସ୍ତାନ । ଏପରିକି ହାଇବ୍ରିଡ ମଡେଲରେ ବିଶ୍ୱକପ ମ୍ୟାଚ ଖେଳାଯିବା ନେଇ ପାକିସ୍ତାନ ଦେଇଥିଲେ ମଧ୍ୟ ଏହାକୁ ମାନିନଥିଲା ଆଇସିସି । ଆଇସିସିର ଏଭଳି ଆଭିମୁଖ୍ୟ ଦେଖିବା ପରେ ଭାରତରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ରାଜି ହୋଇଥିଲା । ଫଳରେ କାର୍ଯ୍ୟସୂଚୀ ପ୍ରକାଶ ପାଇବା ନେଇ ବାଟ ଫିଟିଥିଲା ।

Related Posts