ସ୍କଟଲାଣ୍ଡ ବ୍ଲଗରଙ୍କ ଭିଡିଓରୁ ଖୋଲୁଛି ପାକ୍‌ ଗୁପ୍ତଚରଙ୍କ ଗୁମର: ଲାହୋରରେ ଜ୍ୟୋତିଙ୍କୁ ଜଗିଥିଲେ ୬ ବନ୍ଧୁକଧାରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହୋଇଥିବା ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ସଂପର୍କରେ ସାମ୍ନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ। ପାକିସ୍ତାନର ଲାହୋରର ଅନାରକଲୀ ବଜାରରେ ବୁଲୁଥିବା ବେଳେ ତାଙ୍କୁ ସେଠାରେ ଯୋଗାଇ ଦିଆଯାଇଥିଲା କଡ଼ା ସୁରକ୍ଷା। ୬ ଜଣ ଏକେ-୪୭ ରାଇଫଲଧାରୀ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହୋଇଥିଲେ। ଆଉ ଏ କଥା ସାମ୍ନାକୁ ଆସିଛି ସ୍କଟଲାଣ୍ଡର ୟୁଟ୍ୟୁବର କ୍ୟାଲମ ମିଲଙ୍କ ଏକ ୟୁଟ୍ୟୁବ ଭିଡିଓରୁ। ପ୍ରାୟ ଦୁଇ ମାସ ତଳେ ଏହି ଭିଡିଓ ପୋଷ୍ଟ ହୋଇଛି | ଯେଉଁ ସମୟରେ ଜ୍ୟୋତି ପାକିସ୍ତାନ ଯାଇଥିଲେ ସେହି ସମୟରେ କ୍ୟାଲମ ମଧ୍ୟ ଯାଇଥିଲେ ଓ ଭିଡିଓ ଶୁଟ୍ କରୁଥିଲେ। ତେବେ ଜ୍ୟୋତି ତାଙ୍କ ଭଳି ଜଣେ ୟୁଟ୍ୟୁବର ହୋଇଥିଲେ ମଧ୍ୟ ତାଙ୍କୁ ଏତେ ସୁରକ୍ଷା ଦିଆଯାଇଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସ୍କଟଲାଣ୍ଡର ଏହି ବ୍ଲଗର ଲାହୋରର ଅନାରକଲୀ ବଜାରରେ ଶୁଟ୍ କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ଲୋକଙ୍କ ହାତରେ ବନ୍ଧୁକ ରହିଛି। ସେମାନେ ସମସ୍ତେ ଏକେ-୪୭ ଧରିଛନ୍ତି। ସେମାନଙ୍କ ଶାର୍ଟ ପଛରେ ଇଂରାଜୀରେ ‘ନୋ ଫିୟର’ ଲେଖା ହୋଇଛି। ଏହା ପରେ ଜ୍ୟୋତି ମାଲହୋତ୍ରାଙ୍କୁ ଏହି ଭିଡିଓରେ ଦେଖିବାକୁ ମିଳିଛି। ସେ ମଧ୍ୟ ସେଠାରେ ବୁଲାବୁଲି କରିବା ସହିତ ଭିଡିଓ ଶୁଟ୍ କରୁଛନ୍ତି। ଜ୍ୟୋତି ଭିଡିଓ ଶୁଟ୍ କରୁଥିବା ଦେଖି କ୍ୟାଲମ ତାଙ୍କୁ ନିଜ ପରିଚୟ ଦେଇଛନ୍ତି। ସେ ଜଣେ ସ୍କଟିଶ ୟୁଟ୍ୟୁବର ବୋଲି କହିଛନ୍ତି। ଏହା ପରେ ଜ୍ୟୋତି ତାଙ୍କୁ ପଚାରିଛନ୍ତି ଯେ ସେ ପ୍ରଥମ ଥର ପାଇଁ ପାକିସ୍ତାନ ଆସିଛନ୍ତି କି? ଜବାବରେ କ୍ୟାଲମ କହିଛନ୍ତି ଯେ ଏହା ତାଙ୍କର ପଞ୍ଚମ ଗସ୍ତ। ଏହା ପରେ ଜ୍ୟୋତି ତାଙ୍କୁ ପଚାରିଛନ୍ତି ଯେ ସେ କେବେ ଭାରତ ଯାଇଛନ୍ତି ନା ନାହିଁ? ଏହା ସହିତ ସେ ଭାରତରୁ ଆସିଛନ୍ତି ବୋଲି କ୍ୟାଲମଙ୍କୁ କହିଛନ୍ତି। ଯେତେବେଳେ କ୍ୟାଲମ ତାଙ୍କୁ ପଚାରିଛନ୍ତି ଯେ ପାକିସ୍ତାନର ଆତିଥ୍ୟ କେମିତି ଲାଗୁଛି, ଜ୍ୟୋତି କହିଛନ୍ତି ଯେ ବହୁତ ଭଲ ଲାଗୁଛି।

ଏତିକି ବାର୍ତ୍ତାଳପ ପରେ ଜ୍ୟୋତି ଆଗକୁ ଚାଲି ଯାଇଛନ୍ତି। ଟିକେ ପଛରେ ରହିଯାଇଥିବା କ୍ୟାଲମ ଖୁବ୍ ଅଳ୍ପ ସମୟ ପରେ ଅନୁଭବ କରିଛନ୍ତି ଯେ ସେହି ବନ୍ଧୁକଧାରୀମାନେ ଜ୍ୟୋତିଙ୍କୁ ସୁରକ୍ଷା ଦେଉଛନ୍ତି। ଭିଡିଓରେ କ୍ୟାଲମ କହିଛନ୍ତି, ଜ୍ୟୋତିଙ୍କ ସହିତ ଏହି ବନ୍ଧୁକଧାରୀମାନେ ଆସିଛନ୍ତି। ମୁଁ ଜାଣି ନାହିଁ କାହିଁକି ତାଙ୍କୁ ଏହି ସୁରକ୍ଷା ଦିଆଯାଇଛି।

ତେବେ ସ୍କଟିଶ ୟୁଟ୍ୟୁବର କ୍ୟାଲମଙ୍କ ଭିଡିଓରେ ଆଉ କିଛି ଲୋକଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସେମାନେ ପର୍ଯ୍ୟଟକ ଭଳି ମନେ ହେଉଛନ୍ତି। ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ଜ୍ୟୋତିଙ୍କୁ ନେଇ ଉଠିଛି ଆହୁରି ଅନେକ ପ୍ରଶ୍ନ। ସ୍କଟିଶ ୟୁଟ୍ୟୁବର ଏକୁଟିଆ ବୁଲୁଥିବା ବେଳେ ଜ୍ୟୋତି ମାଲହୋତ୍ରାଙ୍କୁ କାହିଁକି ଏକେ-୪୭ ଧରି ୬ ଜଣ ଲୋକ ଜଗି ରହିଥିଲେ? ତାଙ୍କ ସହିତ ଥିବା ଅନ୍ୟ ଲୋକମାନେ କିଏ? ବନ୍ଧୁକଧାରୀମାନେ ୟୁନିଫର୍ମରେ ନଥିଲେ। ତେବେ ସୁରକ୍ଷାକର୍ମୀମାନେ ସାଦା ପୋଷାକରେ ଥିବା ଭଳି ମନେ ହେଉଛି।

ପାକିସ୍ତାନ ଗସ୍ତ ବେଳେ ଜ୍ୟୋତିଙ୍କୁ ଭଲ ସ୍ୱାଗତ ସମ୍ବର୍ଦ୍ଧନା ଓ ସୁବିଧା ମିଳୁଥିଲା ବୋଲି ଯାହା କୁହାଯାଉଥିଲା, ତାହା ସ୍କଟିଶ ୟୁଟ୍ୟୁବରଙ୍କ ଭିଡିଓ ଦେଖିଲେ ସତ ବୋଲି ଆହୁରି ଦୃଢ଼ ହେଉଛି। ତାଙ୍କୁ ହାଇ-ପ୍ରୋଫାଇଲ ପାର୍ଟିକୁ ଡକା ଯାଉଥିଲା। ସେଠାରେ ସେ ପାକିସ୍ତାନର ସୁରକ୍ଷା ଓ ଗୁଇନ୍ଦା ଅଧିକାରୀଙ୍କୁ ଭେଟୁଥିଲେ। ପୁଲିସର କହିବା ଅନୁଯାୟୀ, ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ସେମାନଙ୍କ ସହିତ ଯୋଗାଯୋଗରେ ରହିଥିଲେ ବୋଲି ଜେରା ବେଳେ କହିଛନ୍ତି। ଜ୍ୟୋତିଙ୍କ ଡିଜିଟାଲ ଡିଭାଇସଗୁଡ଼ିକର ଯାଞ୍ଚ ଚାଲିଛି। ସେ କେଉଁ ପ୍ରକାରର ସୂଚନା ପାକିସ୍ତାନକୁ ଦେଇଛନ୍ତି ସେ ନେଇ ତଦନ୍ତ ଜାରି ରହିଛି।

ଦିନ ଗଡ଼ିବା ସହିତ ଜ୍ୟୋତି ମାଲହୋତ୍ରାଙ୍କୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି |

Related Posts