ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏସଡିଓ ଲୁହା ପୋଲ ଚୋରି ମାମଲାରେ ଦୁଇ ସରକାରୀ ଅଧିକାରୀଙ୍କ ସମେତ ୮ ଗିରଫ ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ସରକାରୀ ଅଧିକାରୀଙ୍କ ମଧ୍ୟରେ ଜଣେ ଅନୁମଣ୍ଡଳ ଏବଂ ଅନ୍ୟଜଣେ ପାଣିପାଗ ବିଭାଗର ଅଫିସର ରହିଥିବା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେପଟେ ପାଣିପାଗ ବିଭାଗ ଅଧିକାରୀ ଅରବିନ୍ଦ କୁମାର ପୋଲ ଚୋରିର ନେତୃତ୍ୱ ନେଇଥିଲେ । ଗ୍ୟାସ କଙ୍କର ଏବଂ ଅନ୍ୟ ଉପକରଣରେ ପୋଲ କଟାଯାଇଥିଲା । ଏହାର ମାଷ୍ଟର ମାଇଣ୍ଟ ଏସଡିଓ ରାଧେ ଶ୍ୟାମ ସିଂ ବୋଲି ପୋଲି ପକ୍ଷରୁ କୁହାଯାଇଛି । ଏସଡିଓ ଏବଂ ତାଙ୍କ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ଚୋରିରେ ବ୍ୟବହୃତ ହୋଇଥିବା ଜେସିବି, ପିକ ଅପ ଭ୍ୟାନ, ଗ୍ୟାସ କଙ୍କରକୁ ମଧ୍ୟ ଜବତ କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ ସୋସିଆଲ ମିଡିଆରେ ଚୋରମାନେ ୬୦ ଫୁଟ ଲମ୍ବ ୧୨ ଫୁଟ ଉଚ୍ଚ ଏବଂ ୫୦୦ ଟନ ଓଜନର ଲୁହା ପୋଲକୁ ତିନି ଦିନ ମଧ୍ୟରେ ଚୋରାଇ ନେଇଥିବା ଖବର ଭାଇରାଲ ହେବାପରେ ପୁଲିସ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା ।
ଚୋର ଦିବାଲୋକରେ ପୋଲ କାଟି ଗାଡ଼ିରେ ଲୋଡ କରି ନେଇ ଯାଇଥିଲେ । ଏହି ଘଟଣା ନାସିରଗଞ୍ଜ ପୁଲିସ ଷ୍ଟେସନ ଅଞ୍ଚଳର ଅମିଆବରରେ ଘଟିଥିଲା । ୧୯୭୨ ମସିହା ଅର୍ଥାତ ୫୦ ବର୍ଷ ତଳେ ଆରା କେନାଲ ଉପରେ ଏହି ଲୁହା ପୋଲ ନିର୍ମାଣ କରାଯାଇଥିଲା । ଲୁହା ପୋଲଟି କଳଙ୍କି ଲାଗି ଯାଇଥିଲା । ତେଣୁ ବିଭାଗ ତରଫରୁ ଏକ କଂକ୍ରିଟ ପୋଲ ତିଆରି କରାଯାଇଥିଲା । ଗ୍ରାମବାସୀମାନେ ବହୁ ବର୍ଷ ଧରି ଏହି ପୁରୁଣା ଲୁହା ପୋଲକୁ ହଟାଇବା ପାଇଁ ଆବେଦନ କରିଥିଲେ । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିଲା । ଏହାର ସୁଯୋଗ ନେଇ ଚୋରମାନେ ଏହାକୁ ଚୋରି କରି ନେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।





