ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ; ଆଜି ବସିବ ସର୍ବଦଳୀୟ ବୈଠକ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପ୍ରସ୍ତୁତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଅର୍ଥାତ୍ ଗୁରୁବାରରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଜୁଲାଇ ୨୦ରୁ ଅଗଷ୍ଟ ୧୧ ତାରିଖରୁ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏଥିପାଇଁ ଆଜି ସରକାରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଡକାଯାଇଛି । ଅଧିବେଶନରେ କେଉଁ ସବୁ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯିବ ତାହା ଉପରେ ବୈଠକରେ ଆଲୋଚନା ହେବ। ଏହା ଛଡା ମୌସୁମୀ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସରକାର ମଧ୍ୟ ବିରୋଧୀ ଦଳଗୁଡ଼ିକର ସହାୟତା ଲୋଡିବେ।

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ ଗତକାଲି ସର୍ବଦଳୀୟ ବୈଠକ ଡାକିଥିଲେ । ହେଲେ ବିରୋଧୀ ଦଳର ସଦସ୍ୟମାନେ ବେଙ୍ଗାଲୁରୁରେ ଏକତ୍ରିତ ହୋଇଥିବାରୁ ଆସିପାରିନଥିଲେ । ଫଳରେ ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା ।

ସେପଟେ ମଣିପୁର ହିଂସା , ଦରଦାମ ବୃଦ୍ଧି ଓ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର ଭଳି ପ୍ରସଙ୍ଗକୁ ନେଇ ମୌସୁମୀ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି । ଅଧିବେଶନରେ ମୋଟ୍ ୨୧ଟି ବିଧେୟକ ପାରିତ ହେବାର ରହିଛି । ସେପଟେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ମାନେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ।ମୌସୁମୀ ଅଧିବେଶନରେ କେନ୍ଦ୍ର ଦିଲ୍ଲୀ ସରକାର ସଂଶୋଧନ ଅଧ୍ୟାଦେଶ-୨୦୨୩ ବିଧେୟକ ପାରିତ କରିପାରନ୍ତି । ଆମ୍ ଆଦମୀ ପାର୍ଟି ସହିତ ବହୁ ବିରୋଧୀ ଦଳ ଏହାକୁ ବିରୋଧ କରିବେ ବୋଲି କହିଛନ୍ତି । ଏହାଛଡ଼ା ୟୁସିସି ଉପରେ ମଧ୍ୟ ଆଲୋଚନା ହେବ । କଂଗ୍ରେସ ଏହି ମୁଦ୍ଦାକୁ ଆଗାମୀ ଲୋକସଭା ନିର୍ବାଚନରେ ଯୋଡ଼ିବ ବୋଲି କୁହାଯାଉଛି ।

Related Posts