ସଂସଦର ମୌସୁମୀ ଅଧିବେଶନ: ବିଶୃଙ୍ଖଳା ପାଇଁ ଆପ ସାଂସାଦ ସଞ୍ଜୟ ସିଂ ସମ୍ପୂର୍ଣ୍ଣ ଅଧିବେଶନରୁ ନିଲମ୍ବିତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବାବେଳେ ମଣିପୁର ପ୍ରସଙ୍ଗରେ ଉଭୟ ଲୋକସଭା ଓ ରାଜ୍ୟସଭା ସରଗରମ ହୋଇଛି | ଏହି ପ୍ରସଙ୍ଗରେ ଗୃହରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ | ଗୃହରେ ବିରୋଧୀଙ୍କ ହଂଗାମା ମଧ୍ୟରେ ଆଜି ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂଙ୍କୁ ବିଶୃଙ୍ଖଳା ଓ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିବାରୁ ସମଗ୍ର ମୌସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି।

ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି ଯେ, ବାରମ୍ବାର ବାରଣ କରିବା ପରେ ମଧ୍ୟ ସଞ୍ଜୟ ସିଂ ଗୃହର ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥିଲେ। ତେଣୁ ତାଙ୍କୁ ସମଗ୍ର ମୋସୁମୀ ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି। ରାଜ୍ୟସଭାରେ ଗୃହର ନେତା ପିୟୁଷ ଗୋଏଲଙ୍କ ଅଭିଯୋଗ ଅଧାରରେ ସଞ୍ଜୟଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି |

ମଣିପୁର ପ୍ରସଙ୍ଗରେ ଶୁକ୍ରବାର ଉଭୟ ଗୃହରେ ବିରୋଧୀଙ୍କ ହୋହାଲ୍ଲା ପରେ ସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରାଯାଇଥିଲା | ଆଜି ମଧ୍ୟ ଗୃହ ଆରମ୍ଭରୁ ସମାନ ଦାବି ନେଇ ବିରୋଧୀ ହଂଗାମା କରିଥଲେ | ଏପରିକି ୱେଲ ମଧ୍ୟକୁ ଆସି ନାରାବାଜୀ କରିଥିଲେ ଫଳରେ ରାଜ୍ୟସଭାକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି |

ସେପଟେ ସଞ୍ଜୟ ସିଂହଙ୍କ ନିଲମ୍ବନକୁ ନେଇ ବିରୋଧୀ ଦଳର ଏକ ଟିମ ଉପରାଷ୍ଟ୍ରପତିଂକୁ ଭେଟିବାକୁ ନିର୍ଣ୍ଣୟ କରିଛନ୍ତି | ଆମ ଆଦମୀ ପାର୍ଟି ପକ୍ଷରୁ ଏହି ନିଲମ୍ବନକୁ ଭୁଲ ଦର୍ଶାଇ ଆଇନର ଆଶ୍ରୟ ନିଆଯିବ ବୋଲି ଦଳର ନେତା ସୌରଭ ଭରଦ୍ୱାଜ କହିଛନ୍ତି |

Related Posts