ଆଜିଠୁ ସଂସଦର ମୌସୁମୀ ଅଧିବେଶନ; ଆଗତ ହୋଇପାରେ ୩୧ଟି ବିଲ୍‌, ମଣିପୁର ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ମୌସୁମୀ ଅଧିବେଶନ ପୂର୍ବରୁ ବୁଧବାର କେନ୍ଦ୍ର ସରକାର ଏକ ସର୍ବଦଳୀୟ ବୈଠକ କରିଛନ୍ତି। ‌ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଦଳର ପ୍ରତିନିଧି ଯୋଗ ଦେଇଥିଲେ। ତେବେ ଆଗାମୀ ମୌସୁମୀ ଅଧିବେଶନରେ ସରକାର ୩୧ଟି ବିଲ୍‌ ଆଗତ କରି ପାରନ୍ତି। ସେପଟେ ବିରୋଧୀମାନେ ମଣିପୁର ହିଂସା ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି।

କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ, କଂଗ୍ରେସ ମଣିପୁର ହିଂସା ନେଇ ଗୃହରେ ମୁଲତବୀ ପ୍ରସ୍ତାବ ଆଣିବ। ଏ ନେଇ ସଂସଦରେ ଆଲୋଚନା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ସରକାର ମଧ୍ୟ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି। ସର୍ବଦଳୀୟ ବୈଠକରେ କଂଗ୍ରେସ, ବିଜେଡି, ୱାଇଏସ୍‌ଆର କଂଗ୍ରେସ, ବିଆରଏସ୍‌ ସମେତ ଅନ୍ୟ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସରକାର ‌ମୌସୁମୀ ଅଧିବେଶନରେ ୩୧ ବିଲ୍‌ ଆଗତ କରିବେ। ତଥ୍ୟ ସୁରକ୍ଷା ବିଲ୍‌, ୟୁସିସି (ସମାନ ନାଗରିକ ସଂହିତା), ଦିଲ୍ଲୀ ଅଧ୍ୟାଦେଶ ଏବଂ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଲ୍‌ ସମେତ ମୋଟ୍‌ ୩୧ଟି ବିଲ୍‌ ମୌସୁମୀ ଅଧିବେଶନରେ ଆଗତ ହୋଇପାରେ। ତେବେ ଦିଲ୍ଲୀ ଅଧ୍ୟାଦେଶ ଏବଂ ୟୁସିସି ଉପରେ ସମସ୍ତଙ୍କ ନଜର ରହିଛି। ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ସରଗରମ ରହିବ ବୋଲି ଅନୁମାନ କରାଯାଉଛି। ଅଗଷ୍ଟ ୧୧ରେ ମୌସୁମୀ ଅଧିବେଶନ ଶେଷ ହେବ। ଉଲ୍ଲେଖଯୋଗ୍ୟ, ପୁରୁଣା ସଂସଦ ଭବନରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

Related Posts