ନୂଆଦିଲ୍ଲୀ: କାରରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏବେ କାର ରେ ଯାତ୍ରା କରୁଥିବା ସବୁ ଯାତ୍ରୀ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକାରୀ ଏହି ସୂଚନା ଦେଇଛନ୍ତି । କାରର ପଛରେ ବସୁଥିବା ଯାତ୍ରୀଙ୍କ ପାଇଁ ସିଟ୍ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ ବିୟୋଗ ପରେ କାରର ପଛ ସିଟରେ ବସୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି।
ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ‘ସାଇରସ ମିସ୍ତ୍ରୀଙ୍କ କାର ଦୁର୍ଘଟଣାରେ ମୃତ୍ୟୁ ପରେ ଆମେ ନିଷ୍ପତ୍ତି ନେଇଛୁ ଯେ, ବାହାନର ପଛ ସିଟ୍ ପାଇଁ ସିଟବେଲ୍ଟ ବିପ୍ ସିଷ୍ଟମ ରହିବ’। ଏହାସହ ନିୟମର ଉଲ୍ଲଂଘନ କଲେ ମୋଟ ଅଙ୍କର ଜରିମାନା ଆଦାୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ତେବେ ଲୋକଙ୍କ ଠାରୁ ଜରିମାନା କରିବା ଏହାର ଉଦ୍ଦେଶ୍ୟ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଦରକାର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଆସନ୍ତା ତିନି ଦିନ ଭିତରେ ଏହା ଉପରେ ସରକାରୀ ନିର୍ଦ୍ଦେଶ ଜାରି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।





