ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ଦ୍ବିତୀୟ ବୈଠକ: ବିରୋଧୀ ନେତାଙ୍କୁ ଚିଠି ଲେଖି ନିମନ୍ତ୍ରଣ କଲେ ଖଡଗେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଟନା ପରେ ବେଙ୍ଗାଲୁରୁରେ ହେବ ବିରୋଧୀଙ୍କ ଦ୍ବିତୀୟ ବୈଠକ | ଏହାର ନେତୃତ୍ବ ନେବ କଂଗ୍ରେସ। ପାଟନରେ ବିରୋଧୀଙ୍କ ପ୍ରଥମ ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଚଳିତ 17 ଓ 18 ତାରିଖରେ ହେବାକୁ ଯାଉଥିବା ବୈଠକ ପାଇଁ ସମସ୍ତ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ । ମଙ୍ଗଳବାର କଂଗ୍ରେସ ମୁଖ୍ୟ ଖଡଗେ ସମସ୍ତ ବିରୋଧୀ ଦଳର ନେତାଙ୍କୁ ଚିଠି ଲେଖି ବେଙ୍ଗାଲୁରୁ ବୈଠକରେ ଯୋଗଦାନ କରିବା ପାଇଁ ନିମନ୍ତ୍ରଣ କରିଛନ୍ତି ।

ନିଜ ଚଠିରେ ଖଡଗେ ବିରୋଧୀଙ୍କ ପ୍ରଥମ ବୈଠକ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି । ଜୁନ 23 ତାରିଖରେ ପାଟନାରେ ହୋଇଥିବା ଉକ୍ତ ବୈଠକ ସଫଳ ଥିଲା । ବର୍ତ୍ତମାନ ସମୟରେ ଗଣତାନ୍ତ୍ରିତ ଦଳ ପ୍ରତି ଥିବା ବିପଦ ଓ ଅନ୍ୟାନ୍ୟ ପ୍ରସଙ୍ଗ ସମ୍ପର୍କରେ ଉକ୍ତ ବୈଠକରେ ସଫଳ ଆଲୋଚନା ହୋଇଥିଲା । 2024 ସାଧାରଣ ନିର୍ବାଚନ ଉକ୍ତ ବୈଠକରେ ଅଂଶଗ୍ରହଣ କରିଥିବା ସମସ୍ତ ବିରୋଧୀ ଦଳ ମିଳିତ ଭାବେ ଲଢିବେ ବୋଲି ମତ ପ୍ରକାଶ ପାଇଥିବା ଖଡଗେ ଚିଠିରେ ଉଲ୍ଲେଖ କରିଥିଲେ । ସେହିପରି ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି ଆଲୋଚନାର ଧାରା ଜାରି ରହିବା ଉଚିତ । ତେଣୁ 17 ତାରିଖ ସଂଧ୍ୟାରେ ବେଙ୍ଗାଲୁରୁରେ ଆରମ୍ଭ ହେବାକୁ ଥିବା ବୈଠକରେ ସମସ୍ତ ବିରୋଧୀ ରାଜନୈତିକ ଦଳ ଯୋଗାଦନ କରନ୍ତୁ ।

ଏହି ବୈଠକ 17 ତାରିଖ ସଂଧ୍ୟାରେ ଆରମ୍ଭ ହେବାକୁ ଥିବା ବେଳେ ପରଦିନ ଅର୍ଥାତ 18 ତାରିଖ 11 ଟାରୁ ପୁଣି ସଂଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ଜୁନ 23 ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅହ୍ବାନରେ ପାଟନାରେ ହୋଇଥିବା ମିଟିଂରେ 17 ଟି ରାଜନୈତିକ ଦଳର ମୁଖ୍ୟମାନେ ଅଂଶଗ୍ରହଣ କରି ଆଲୋଚନା କରିଥିଲେ । କଂଗ୍ରେସ ପକ୍ଷରୁ ପାର୍ଟି ଅଧକ୍ଷ ଖଡଗେ ଓ ପୂର୍ବତନ ଅଧକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ । ହେଲେ ଉକ୍ତ ବୈଠକରେ କୌଣସି ପ୍ରମୁଖ ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନଥିଲା । ପରବର୍ତ୍ତୀ ସମୟରେ ସେମାନେ ଶିମଲାରେ ଏକାଠି ହେବେ ବୋଲି ମଧ୍ୟ ସହମତ ହୋଇଥିଲେ । ହେଲେ ପରେ ଏହି ବୈଠକ ଶିମଲାରେ ହେବା ପରିବର୍ତ୍ତେ ବେଙ୍ଗାଲୁରୁରେ ହେବା ନେଇ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ।

ଜୁନ 23 ରେ ପାଟନାରେ ହୋଇଥିବା ବୈଠକରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଦଳର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସୁପ୍ରିମୋ ଶରଦ ପାୱାର, ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ଶିବସେନା (ଉଦ୍ଧବ ବାଲାସାହେବ ଠାକୁର) ମୁଖ୍ୟ ଉଦ୍ଧବ ଠାକରେ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି, ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା, ସିପିଆଇ ନେତା ଡି ରାଜା, ସିପିଆଇ-ଏମ ମହାସଚିବ ସୀତାରାମ ୟେଚୁରୀ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନ ଉପସ୍ଥିତ ଥିଲେ ।

Related Posts