ଗୋପନୀୟ ଦସ୍ତାବିଜ ଚୋରି ମାମଲା: ଆତ୍ମସମର୍ପଣ କରିବା ପରେ ଗିରଫ ହେଲେ ଡୋନାଲ୍ଡ ଟ୍ରମ୍ପ, ୪୫ ମିନିଟ ପରେ ମିଳିଲା ସର୍ତମୂଳକ ଜାମିନ୍

ଭୁବନେଶ୍ୱର,୧୪/୬(ସତ୍ୟପାଠ ବ୍ୟୁରୋ): ଦେଶର ସୁରକ୍ଷା ସମ୍ବଳିତ ଗୋପନ ଦଲିଲ ବେଆଇନ ଭାବେ ରଖିବା ଅଭିଯୋଗରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇଛନ୍ତି। ମିୟାମିସ୍ଥିତ ସଂଘୀୟ ଅଦାଲତରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ହେବାର ୪୫ ମିନିଟ ପରେ ତାଙ୍କୁ ସର୍ତମୂଳକ ଜାମିନ ମଧ୍ୟ ମିଳିଛି।

ତେବେ ୨୦୨୧ ଜାନୁଆରିରେ ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚନ ହାରିବା ପରେ ହ୍ଵାଇଟ ହାଉସ ଛାଡ଼ିଥିଲେ। ସେ ସମୟରେ ଟ୍ରମ୍ପ ଜାତୀୟ ସୁରକ୍ଷା ସମ୍ବଳିତ ଅନେକ ଗୋପନ ଓ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌କୁ ତାଙ୍କ ଘରକୁ ନେଇ ଯାଇଥିଲେ। ଏ ନେଇ ତାଙ୍କ ନାମରେ ମାମଲା ହୋଇଥିଲା। ଗୋପନ ଦସ୍ତାବିଜ ରଖିବା ଏବଂ ତାଙ୍କଠାରୁ ଏହି ଦସ୍ତାବିଜ୍ ଉଦ୍ଧାର ପାଇଁ ପ୍ରୟାସ କରିଥିବା ଅଧିକାରୀମାନଙ୍କୁ ମିଛ କହିବା ମାମଲାରେ ଟ୍ରମ୍ପ ଏବଂ ତାଙ୍କର ପୂର୍ବତନ ସହଯୋଗୀ ୱାଲ୍ଟ ନୌଟାଙ୍କ ନାମରେ ମାମଲା ହୋଇଥିଲା।

ଅଦାଲତରେ ଉକ୍ତ ଶୁଣାଣି ବେଳେ କ୍ୟାମେରା ଓ ଲାଇଭ ବ୍ରଡକାଷ୍ଟିଂକୁ ଅନୁମତି ଦିଆଯାଇନାହିଁ। ଗତ କିଛିଦିନ ମଧ୍ୟରେ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଅଦାଲତରେ ହାଜର ହୋଇଛନ୍ତି। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଜଣେ ପର୍ଣ୍ଣଷ୍ଟାରଙ୍କୁ ଅର୍ଥ ଦେଇ ପାଟି ଚୁପ୍ କରିବା ମାମଲାରେ ଗତ ଏପ୍ରିଲରେ କୋର୍ଟରେ ହାଜର ହୋଇ ଗିରଫ ହୋଇଥିଲେ। ଟ୍ରମ୍ପଙ୍କ ସମର୍ଥକମାନେ ଆଜି ଅଦାଲତ ସାମ୍ନାରେ ଉପସ୍ଥିତ ହୋଇ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ’ର ଟୋପି ପିନ୍ଧିବା ସହିତ ହାତରେ ଆମେରିକାର ପତାକା ଧରି ଟ୍ରମ୍ପଙ୍କ ସପକ୍ଷରେ ସ୍ଳୋଗାନମାନ ଦେଇଥିଲେ।

ଅନ୍ୟପକ୍ଷରେ ଟ୍ରମ୍ପ ବାରମ୍ବାର ନିଜକୁ ନିର୍ଦ୍ଦୋଷ
ଦାବି କରିଆସୁଛନ୍ତି। ତାଙ୍କୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ଟାର୍ଗେଟ ଅକ୍ରୋସ ମୂଳକ ଭାବେ ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଉଛି ବୋଲି ସେ ଅଭିଯୋଗ କରିଛନ୍ତି।
ଟ୍ରମ୍ପ ମିୟାମିସ୍ଥିତ ସଂଘୀୟ ଅଦାଲତରେ ମଙ୍ଗଳବାର ଅପରାହ୍ଣରେ ପହଞ୍ଚିଥିଲେ। ଏହାପୂର୍ବରୁ ଅଦାଲତ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ତାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି।
ଅଦାଲତରେ ହାଜର ହେବା ପୂର୍ବରୁ ଟ୍ରମ୍ପ ଟ୍ରୁଥ୍ ସୋସିଆଲରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି: ‘ଆଜି ଦେଶର ଇତିହାସରେ ଏକ ଦୁଃଖଦ ଦିନ। ଆମ ଦେଶ ତଳକୁ ତଳକୁ ଯାଉଛି।’

ଟ୍ରମ୍ପଙ୍କ ବିରୋଧରେ ହ୍ବାଇଟ୍ ହାଉସ୍ ଛାଡ଼ିବା ପରେ ମଧ୍ୟ କ୍ଲାସିଫାଏଡ୍ ଡକୁମେଣ୍ଟ ନିଜ ପାଖରେ ରଖିବା ନେଇ ଯେଉଁ ଅଭିଯୋଗ ରହିଥିଲା ସେହି ମାମଲାରେ ଟ୍ରମ୍ପ ଶୁକ୍ରବାର ଅପରାହ୍ନରେ ନିଜ ପ୍ରାଇଭେଟ ବିମାନରେ ଫ୍ଳୋରିଡା ରାଜ୍ୟର ମିୟାମି କୋର୍ଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । ପ୍ରାୟ ୪୫ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି ଯୁକ୍ତି ବାଢ଼ିଥିଲେ। ପରେ ତାଙ୍କୁ ସର୍ତମୂଳକ ଜାମିନ ମିଳିଥିଲା। ଅପରାହ୍ନ ପ୍ରାୟ ୪ଟାରେ ପରେ ସେ କୋର୍ଟରୁ ବାହାରି ଯାଇଥିଲେ। ଜାମିନ ନିମନ୍ତେ ଟ୍ରମ୍ପଙ୍କ ଉପରେ ସର୍ତ୍ତ ରହିଛି ଯେ ସେ ଉକ୍ତ ମାମଲା ସମ୍ପର୍କରେ ତାଙ୍କର ଘନିଷ୍ଠ ସହଯୋଗୀ ୱାଲ୍ଟ ନୌଟାଙ୍କ ସହ କୌଣସି ଆଲୋଚନା କରିବେ ନାହିଁ।

କୋର୍ଟରୁ ବାହାରି ଟ୍ରମ୍ପ ନ୍ୟୁ ଜର୍ସିସ୍ଥିତ ନିଜ ଗଲ୍ଫ କ୍ଲବକୁ ଚାଲି ଯାଇଥିଲେ। ସେଠାରେ ସେ ମିଡିଆକୁ ସମ୍ବୋଧନ କରି ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି। ଏହା ତାଙ୍କ ବିରୋଧରେ ରାଜନୈତିକ ଷଡଯନ୍ତ୍ର ବୋଲି କହିଛନ୍ତି । ଏଥିସହ ସେ କହିଛନ୍ତି, ଆଜି ଆମେ ନିଜ ଦେଶର ଇତିହାସରେ କ୍ଷମତାର ସବୁଠୁ ଅଧିକ ଦୂରପଯୋଗ ଦେଖିଛୁ। ଏହା ଖୁବ୍‌ ଦୁଃଖଦାୟକ ।

ଏଥିସହ ସେ କହିଛନ୍ତି, ଜଣେ ଭ୍ରଷ୍ଟ ରାଷ୍ଟ୍ରପତି ନିଜ ପ୍ରତିଦ୍ୱନ୍ଦ୍ୱୀ ପରେ ମିଥ୍ୟା ଓ କଳ୍ପୋକଳ୍ପିତ ଆରୋପ ଲଗାଇ ଗିରଫ କରିବାକୁ ପଛାଉ ନାହାନ୍ତି। ଏହା ରାଷ୍ଟ୍ରପତି ନିର୍ବାଚନର ଠିକ୍‌ ପୂର୍ବରୁ ହେଉଛି ତଥାପି ଆମେ ଜିତିବୁ ବୋଲି ଆଶା ଥିବା କହିଛନ୍ତି ଟ୍ରମ୍ପ । ବାଇଡେନଙ୍କ ଉପରେ ଟ୍ରମ୍ପ ବର୍ଷିବା ସହ ନିଜ ଉପରେ ଲାଗିଥିବା ସମସ୍ତ ଆରୋପକୁ ବେବୁନିଆଦ ଅଭିଯୋଗ ବୋଲି କହିବା ସହ ପ୍ରେସିଡେଣ୍ଟ ରେକର୍ଡ ଆକ୍ଟ ଅନୁଯାୟୀ ରେଡ ସମୟରେ ଜବତ ହୋଇଥିବା ସମସ୍ତ ଫାଇଲ୍‌ ରଖିବାର ଅଧିକାର ତାଙ୍କ ନିକଟରେ ଥିଲା ବୋଲି ସ୍ପଷ୍ଟ କରିଛନ୍ତି।

ଗତବର୍ଷ ଆମେରିକାର ପ୍ରମୁଖ ତଦନ୍ତକାରୀ ସଂସ୍ଥା FBI ଫ୍ଲୋରିଡାସ୍ଥିତ ଟ୍ରମ୍ପଙ୍କ ରିସର୍ଟରେ ରେଡ କରି ୧୧ ହଜାର ଫାଇଲ୍‌ ଜବତ କରିଥିଲା। ସେଥିରେ କିଛି ଟପ୍‌ ସିକ୍ରେଟ ଫାଇଲ୍‌ ଥିବା ଜଣାଯାଇଛି। ଆମେରିକା ରାଷ୍ଟ୍ରପତିଙ୍କ ସମେତ କାହାକୁ ମଧ୍ୟ ଟପ୍‌ ସିକ୍ରେଟ ଫାଇଲ୍‌ ଅନାଧିକୃତ ଭାବେ ରଖିବାକୁ ଅନୁମତି ନାହିଁ। ତେଣୁ ଟ୍ରମ୍ପଙ୍କ ଉପରେ ସରକାରୀ ସିକ୍ରେଟ ଫାଇଲ୍‌ ଅବୈଧ ରୂପେ ରଖିବା ସହ ନ୍ୟାୟ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବା ତଥା ଷଡଯନ୍ତ୍ର ରଚିବା ଅଭିଯୋଗ ଲାଗିଥିଲା।

Related Posts