ଆଜି ପବିତ୍ର ମହାଶିବରାତ୍ରି | ଜାଗର ପାଇଁ ସକାଳୁ ସକାଳୁ ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡି ଦେଖିବାକୁ ମିଳିଛି | ଏହି ଅବସରରେ ବାବା ଲିଙ୍ଗରାଜଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ଅନୁଷ୍ଠିତ ହୋଇଥିବା ବେଳେ, କୋଭିଡର ଡର ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି।
ଏଥିପାଇଁ ପ୍ରମୁଖ ଶିବାଳୟରେ ଭକ୍ତଙ୍କ ଗହଳି ଲାଗି ନପାରେ। ଚଳିତ ଥର ବି ବିନା ଭକ୍ତରେ ପୂଜା ପାଇବେ ବାବା ଧବଳେଶ୍ୱର। କଟକ ଜିଲ୍ଲା ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ ବି ଫିକା ପଡିବ ଜାଗର ପର୍ବ। କୋଭିଡ କଟକଣା ପାଇଁ ପୀଠରେ ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ ହୋଇଛି। ସକାଳ ୫ଟା ରୁ ୨ ତାରିଖ ସଂଧ୍ୟା ୭ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ। ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହୋଇଛି । ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କ ଠାରେ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ |
ସେପଟେ, କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ବାବା ଲିଙ୍ଗରାଜଙ୍କ ଦର୍ଶନ କରୁଛନ୍ତି। ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ। ଟ୍ରାଫିକ ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି। ଡିସିପି ଏହାର ଦାୟିତ୍ୱ ନେଇଛନ୍ତି।





