ଭୁବନେଶ୍ଵର,୨୫/୨(ସତ୍ୟପାଠ ବ୍ୟୁରୋ): ଶନିବାର ସକାଳେ ଛତିଶଗଡ଼ର ସୁକମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।ଏହି ଗୁଳି ବିନିମୟରେ ୩ଜଣ ‘ଡିଷ୍ଟ୍ରିକ୍ଟ୍ ରିଜର୍ଭ ଗାର୍ଡ’ (ଡିଆର୍ଜି) ଯବାନ ସହିଦ ହୋଇଥିବା ସୂଚନା ମିଳିଛି।
ଗୁଳି ବିନିମୟ ସମୟରେ ‘ଏଏସ୍ଆଇ’ ରାମୁରାମ ନାଗ, ସହକାରୀ କନେଷ୍ଟବଳ କୁଞ୍ଜମ୍ ଯୋଗା ଏବଂ ସୈନିକ ବଞ୍ଜମ ଭୀମା ମାଓବାଦୀଙ୍କ ଗୁଳିରେ ସହିଦ ହୋଇଛନ୍ତି ବୋଲି ବସ୍ତର୍ ରେଞ୍ଜ୍ ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ସୁନ୍ଦରରାଜ ପି କହିଛନ୍ତି।
ସୂଚନା ଅନୁସାରେ, ଆଜି ସକାଳେ ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନାର ‘ଡିଆର୍ଜି’ ପାର୍ଟି ନକ୍ସଲ୍ ତଲାସ ଅଭିଯାନରେ ବାହାରି ଯାଇଥିଲେ। ଅଭିଯାନ ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଜଗରଗୁଣ୍ଡା ଓ କୁନ୍ଦେଡ଼ ମଧ୍ୟବର୍ତ୍ତୀ ଅଞ୍ଚଳରେ ପୁଲିସ ଟିମ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ବୋଲି ବସ୍ତର୍ ରେଞ୍ଜ୍ ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ସୁନ୍ଦରରାଜ ପି ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି। ଘଟଣାସ୍ଥଳକୁ ‘ରିଏନ୍ଫୋର୍ସମେଣ୍ଟ୍’ ପଠାଯାଇଥିବା ସୂଚନା ରହିଛି।





