‘ଜବତ ଟଙ୍କା ମୋ ପରିବାରର, ଏଥିସହିତ କଂଗ୍ରେସର କୌଣସି ସଂପର୍କ ନାହିଁ’: ଧୀରଜ ସାହୁ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁ ୩୫୩ କୋଟି ଟଙ୍କା ଜବତ ମାମଲାରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ଜବତ ହୋଇଥିବା ଟଙ୍କା ତାଙ୍କ ପରିବାରର ବ୍ୟବସାୟ ଅର୍ଥ। କଂଗ୍ରେସର କିମ୍ବା ଅନ୍ୟ କୌଣସି ଡଲାର ଏଥିସହିତ କିଛି ସଂପର୍କ ନାହିଁ ବୋଲି ସେ କହିଛନ୍ତି। ଧୀରଜ କହିଛନ୍ତି, ଆୟକର ବିଭାଗ ପ୍ରଥମେ କହୁ ଏହା କଳା କିମ୍ବା ଧଳା ଟଙ୍କା।

ଆମର ସମସ୍ତ ବ୍ୟବସାୟ ଆମ ପରିବାର ନାମରେ ରହିଛି। ମୋର ବଡ଼ ପରିବାର। ମୁଁ ଜଣେ ବ୍ୟବସାୟୀ ନୁହେଁ। ମୁଁ ଜଣେ ରାଜନେତା ଏବଂ ୩୦ରୁ ୩୫ ବର୍ଷ ହେଲା ରାଜନୀତିରେ ଅଛି। ମୋ ପରିବାର ଏହାର ଉତ୍ତର ଦେବ। ମୋ ସହ କିମ୍ବା ମୋ ଦଳ ସହିତ ଏହାର କୌଣସି ସଂପର୍କ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

ଧୀରଜଙ୍କ ପରିବାର ମାଲିକାନାରେ ବୌଦ୍ଧ ଜିଲ୍ଲାରେ ଥିବା ମଦ କମ୍ପାନି ବୌଦ୍ଧ ଡି‌ଷ୍ଟିଲେରି ପ୍ରାଇଭେଟ ଲିମିଟେଡ ସହ ଆୟକର ବିଭାଗର ଚଢ଼ଉ ଜଡ଼ିତ। ଧୀରଜଙ୍କ ପୁତୁରା ରିତେଶ ସାହୁ ଉକ୍ତ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ତାଙ୍କ ବଡ଼ ଭାଇ ଉଦୟ ଶଙ୍କର ପ୍ରସାଦ କମ୍ପାନିର ଚେୟାରମ୍ୟାନ ରହିଛନ୍ତି। ଆୟକର ବିଭାଗ ଗତ ୬ ତାରିଖରେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରି ବିପୁଳ ପରିମାଣର ଟଙ୍କା ଜବତ କରିଛି। ଏହାକୁ ନେଇ ସରକାରୀ ଦଳ ବିଜେପି କଂଗ୍ରେସକୁ ଟା‌ର୍ଗେଟ କରିଛି।

Related Posts