ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାମ ନେଉନାହିଁ | ପ୍ରତିଦିନ ରାଜ୍ୟରେ ପୋଡ଼ାଜଳା ଓ ଗୁଳିକାଣ୍ଡ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଶାନ୍ତି ପ୍ରକ୍ରିୟା ବିଫଳ ହୋଇଥିବାବେଳେ ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଆରକେ ରଂଜନ ସିଂହଙ୍କ ବାସଭବନକୁ ଦଙ୍ଗାକାରୀମାନେ ଜାଳି ଦେଇଥିଲେ।
ଆଉ ମେ’ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ପାଇଁ ଏପର୍ଯ୍ୟନ୍ତ ୧୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପାଖାପାଖି ୪୦୦ ଲୋକ ଆହତ ହୋଇଛନ୍ତି। ୩ ଦିନ ତଳେ ରାଜ୍ୟରେ ପୋଡ଼ାଜଳା ଏବଂ ଗୁଳିମାଡ଼ ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପଟେ ମଣିପୁରର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଆଜି ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ସ୍ୱାମୀ ଆଜି ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଏବେ ସମୟ ଆସିଯାଇଛି ଯେ ରାଜ୍ୟରେ କେନ୍ଦ୍ରୀୟ ଶାସନ ଲାଗୁ କରାଯାଉ | ସେ ଟ୍ୱିଟ କରି ଲେଖିଛନ୍ତି ଯେ ସମ୍ବିଧାନର ଧାରା ୩୫୬ ଅନୁଯାୟୀ କେନ୍ଦ୍ରୀୟ ଶାସନ ଲାଗୁ କରାଯାଉ ଓ ଅମିତ ଶାହାଙ୍କୁ କ୍ରୀଡା ମନ୍ତ୍ରାଳୟକୁ ପଠାଯିବା ଉଚିତ’।
ସେ ଶାହାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଗୃହ ମନ୍ତ୍ରୀ ଭାବରେ ଶାହା ସମ୍ଭାଳି ପାରୁନାହାନ୍ତି, ତେଣୁ ତାଙ୍କୁ କ୍ରୀଡା ମନ୍ତ୍ରାଳୟର ଦାୟିତ୍ୱ ଦେବା ଉଚିତ | ଉଲ୍ଲେଖ ଥାଉ କି ବର୍ତ୍ତମାନ ରାଜ୍ୟର ୧୧ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି। ଏଥି ସହିତ, ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରଖାଯାଇଛି | ମଣିପୁରର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଛନ୍ତି। ନିକଟରେ ଶାନ୍ତି ଫେରାଇ ଆଣିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ଗସ୍ତ କରିଛନ୍ତି। ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସରକାର ଏକ ଶାନ୍ତି କମିଟି ଗଠନ କରିଥିଲେ।
କିନ୍ତୁ ଶାନ୍ତି କମିଟି ବୈଠକକୁ ଉଭୟ କୁକି ଏବଂ ମୈତେଇ ସମ୍ପ୍ରଦାୟ ବର୍ଜନ କରିଥିବା ବେଳେ ରାଜ୍ୟରେ ପ୍ରତିଦିନ ଗୁଳିମାଡ଼ ଓ ପୋଡ଼ାଜଳା ଜାରି ରହିଛି । ଉଲ୍ଲେଖ ଥାଉ କି ଯେ, ପ୍ରାୟ ଦେଢ଼ ମାସ ପୂର୍ବରୁ ମଣିପୁରର ମୈତେଇ ଏବଂ କୁକି ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ | ହିଂସା ଘଟଣାରେ ଏପର୍ଯ୍ୟନ୍ତ ୧୦୦ ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମେଇତି ସମ୍ପ୍ରଦାୟ ଦୀର୍ଘ ସମୟ ଧରି ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବି କରିଆସୁଛି। ମେ ୩ରେ, ମୈତେଇ ସମ୍ପ୍ରଦାୟ ଏହି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା, ଯାହାପରଠାରୁ ହିଂସା ଜାରି ରହିଛି |





