ଭୁବନେଶ୍ୱର,୧୦/୬(ସତ୍ୟପାଠ ବ୍ୟୁରୋ): ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ (ଏନ୍ସିପି )ର ମୁଖ୍ୟ ଶରଦ୍ ପାୱାର୍ ଆଜି ଦଳର ୨ଜଣ ନୂଆ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି କରିଥିବା ବେଳେ ସେଥିରେ ନିଜ ପୁତୁରା ତଥା ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଅଜିତ ପାୱାରଙ୍କୁ ସାମିଲ କରିନାହାନ୍ତି। ରାଜନୈତିକ ସମୀକ୍ଷକ ଏହାକୁ ଅଜିତଙ୍କୁ ଏକ ବଡ ଝଟକା ବୋଲି କହିଛନ୍ତି। ଝିଅ ସୁପ୍ରିୟା ସୁଲେ ଓ ଦୀର୍ଘସମୟର ଅନୁଗତ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ପାୱାର ନିଯୁକ୍ତ କରିଛନ୍ତି। ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ଶରଦ ପାୱାର୍ ଏ ଦୁଇଜଣଙ୍କ ନାମ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ, ୧୯୯୯ରେ ନିଜେ ଶରଦ ପାୱାର୍ ଓ ପି. ଏ. ସଙ୍ଗ୍ମା ‘ଏନ୍ସିପି’ ସ୍ଥାପନା କରିଥିଲେ। ଆଜିର ଏହି ଉତ୍ସବରେ ‘ଏନ୍ସିପି’ର ଅନ୍ୟତମ ବିଶିଷ୍ଟ ନେତା ଅଜିତ ପାୱାର ମଧ୍ୟ ଉପସ୍ଥିତ ଥିଲେ। ‘ଏନ୍ସିପି’ ସାଂସଦ ତଥା ଶରଦ୍ ପାୱାର୍ଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ, ମହିଳା ଯୁବା ଓ ଲୋକସଭା ସମନ୍ବୟ ଦାୟିତ୍ବ ପ୍ରଦାନ କରାଯାଇଛି। ସେପଟେ ପ୍ରଫୁଲ ପଟେଲ୍ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୋଆ ଦାୟିତ୍ବରେ ରହିବେ।
ଉଲ୍ଲେଖଯୋଗ୍ୟ ଯେ, ଗତ ମାସରେ ହଠାତ୍ ‘ଏନ୍ସିପି’ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ଶରଦ ପାୱାର ଦଳୀୟ କର୍ମୀଙ୍କ ଆବେଗପୂର୍ଣ୍ଣ ପ୍ରତିବାଦରେ ଅଭିଭୂତ ହୋଇ ପୁଣି ନିଜ ନିଷ୍ପତ୍ତି ବଦଳାଇ ଦଳର ଅଧ୍ୟକ୍ଷ ଦାୟିତ୍ବରେ ରହିଥିଲେ।





