ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଘୋଷଣାର ବହୁ ପୂର୍ବରୁ ଓଡ଼ିଶାରେ କଂଗ୍ରେସ ଦଳ ଆରମ୍ଭ କରିଥିଲା ପ୍ରଗମନ ଅଭିଯାନ | ଲକ୍ଷ ଥିଲା ଅନଲାଇନ ମାଧ୍ୟମରେ ପ୍ରାର୍ଥୀ ଚୟନ କରିବା | ହେଲେ ଏବେ ନିର୍ବାଚନ ଘୋଷଣା ହେବା ବେଳକୁ ସତେ ଯେମିତି ଦଳରୁ ନେତାଙ୍କର ପ୍ରସ୍ଥାନ ଆରମ୍ଭ ହୋଇଯାଇଛି | ପ୍ରଥମେ ଦଳ ଛାଡିଲେ ଅତାବିରାର ପୂର୍ବତନ ବିଧାୟକ ନିହାର ମହାନନ୍ଦ | ଦଳରେ ଅବହେଳା ଓ କଂଗ୍ରେସରେ ରହି ଆଉ ଲୋକସେବା କରି ହେଉନାହିଁ କହି ଦଳରୁ ସେ ଇସ୍ତଫା ଦେଲେ | ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଛନ୍ତି | ନିହାରଙ୍କ ପରେ ପରେ ଦଳ ଛାଡିଲେ କେନ୍ଦ୍ରାପଡ଼ାର ଟାଣୁଆ ଯୁବନେତା ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି | ପରେ ଅଂଶୁମାନ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି |
ଆଉ ଏସବୁ ଭିତରେ କଂଗ୍ରେସକୁ ଆଉ ଏକ ବଡ ଝଟକା ଲାଗିଛି | ଗତକାଲି କଂଗ୍ରେସ ଛାଡିଛନ୍ତି ଖଡ଼ିଆଳର ବର୍ତ୍ତମାନର ବିଧାୟକ ଅଧିରାଜ ପାଣିଗ୍ରାହୀ | ଆଜି ସେ ବିଜେଡିରେ ମିଶିଛନ୍ତି | ଗତ 2019 ନିର୍ବାଚନରେ କଂଗ୍ରେସର ମାତ୍ର 9 ଜଣ ବିଧାୟକ ଜିତିଥିବା ବେଳେ ଅଧିରାଜଙ୍କ ଇସ୍ତଫା ସହିତ ଏହି ସଂଖ୍ୟା 8 କୁ ଖସି ଆସିଛି | ରାଜ୍ୟରେ ବର୍ତ୍ତମାନ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଚର୍ଚ୍ଚା ଚାଲିଥିବାବେଳେ ଦୁଇ ଦଳ ମଧ୍ୟରେ ମେଣ୍ଟ ହେଲେ କଂଗ୍ରେସ ସବୁଠାରୁ ଅଧିକ ଫାଇଦା ନେବାକଥା | ହେଲେ ଏବେ କଂଗ୍ରେସ ପାଇଁ ସବୁଠାରୁ ବିପରୀତ ପରିସ୍ଥିତି ସୃଷ୍ଟି ହୋଇଛି | ଦଳ ଏଥର ଯୁବ ପ୍ରାର୍ଥୀମାନଙ୍କୁ ପ୍ରାଧାନ୍ୟ ଦେବ ବୋଲି ପିସିସି ସଭାପତି କହି ବୁଲୁଥିବା ବେଳେ ଦଳର ଯୁବନେତା ମାନେ ଦଳଠୁ ମୁହଁ ବୁଲାଇ ଚାଲିଯାଉଛନ୍ତି |
ଆଉ ଏଭଳି ଧାରା ଜାରି ରହିଲେ ନିର୍ବାଚନ ବେଳକୁ ଦଳକୁ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ମିଳିବା କଷ୍ଟକର ହେବ ବୋଲି ମଧ୍ୟ ଚର୍ଚ୍ଚା ହେଲାଣି | ଏପରିକି ପିସିସି ସଭାପତି ଭାବେ ଦାୟିତ୍ୱ ନେବାପରେ ଶରତ ପଟ୍ଟନାୟକ ଦେଇଥିବା 9 ରୁ 90 ସ୍ଲୋଗାନ, ନିର୍ବାଚନ ଫଳାଫଳ ବାହାରିବା ବେଳକୁ 9 ରୁ ସମ୍ପୂର୍ଣ ନିଲ୍ ହୋଇଯାଇଥିବ ବୋଲି କଂଗ୍ରେସ ଦଳ ଭିତରେ ଚର୍ଚ୍ଚା ହେଲାଣି |





