ସରିଲା ପ୍ରକାଶଙ୍କ ୩ ଧାମ ଯାତ୍ରା; ଏବେ ଯିବେ କୁଆଡେ?

 

ଭୁବନେଶ୍ୱର,୧୦/୧୦(ସତ୍ୟପାଠ ବ୍ୟୁରୋ): ସରିଲା ପ୍ରକାଶ ବେହେରାଙ୍କ ୩ ଧାମ ଯାତ୍ରା । ପ୍ରଥମେ କଂଗ୍ରେସ ପରେ ବିଜେପି ଓ ଏବେ ବିଜେଡି । ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ନିଜ ଇସ୍ତଫା ପତ୍ର ପଠାଇଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରକାଶ ବେହେରା ନିର୍ବାଚନ ଲଢ଼ିଥିଲେ । ହେଲେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶଙ୍କ ଠାରୁ ସେ ନିର୍ବାଚନ ହାରି ଯାଇଥିଲେ । ଆଜି ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟର ୩ ପ୍ରମୁଖ ଦଳ ବୁଲିବା ପ୍ରକାଶଙ୍କର ଶେଷ ହୋଇଛି ।

ସାଲେପୁର ଅଂଚଳରେ ରାଜନୈତିକ ପ୍ରଭାବ ରଖିଥିବା ପ୍ରକାଶ ୨୦୧୪ରେ ସାଲେପୁରରୁ କଂଗ୍ରେସ ଟିକେଟ୍‌ରୁ ନିର୍ବାଚନ ଲଢ଼ି ଜିତିଥିଲେ। ହେଲେ ୫ ବର୍ଷ ବିଧାୟକ ରହିବା ପରେ ଠିକ ୨୦୧୯ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ । ବିଜେପି ତାଙ୍କୁ ସାଲେପୁରରୁ ପ୍ରାର୍ଥୀ ମଧ୍ୟ କରିଥିଲା । ହେଲେ ପ୍ରକାଶ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ । ନିର୍ବାଚନ ହାରିଥିଲେ ମଧ୍ୟ ପ୍ରକାଶଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଥିଲା ବିଜେପି । ହେଲେ ଠିକ ୨୦୨୪ ନିର୍ବାଚନ ପୂର୍ବରୁ ପ୍ରକାଶ ପୁଣି ଦଳ ପରିବର୍ତ୍ତନ କରିଥିଲେ । ବିଜେପି ଛାଡି ବିଜେଡିରେ ମିଶିଥିଲେ ପ୍ରକାଶ । ହେଲେ ବିଜେଡି ତାଙ୍କୁ ସାଲେପୁରରୁ ଟିକେଟ ନଦେଇ କଟକ-ବାରବାଟୀ ଆସନରୁ ଟିକେଟ ଦେଇଥିଲା । କିନ୍ତୁ ଏଠାରେ ତାଙ୍କୁ ଶୋଚନୀୟ ପରାଜୟ ମିଳିଥିଲା । ୨୦୨୪ ନିର୍ବାଚନରେ ପ୍ରକାଶ କେବଳ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୋଶଙ୍କ ଠାରୁ ହାରିଲେ ନାହିଁ, ବରଂ ୩ ନମ୍ବରରେ ରହିଲେ । ଏବେ ନିର୍ବାଚନ ହାରିବାର କିଛି ଦିନ ପରେ ସେ ବିଜେଡି ଛାଡିଛନ୍ତି । ତେବେ ରାଜ୍ୟର ୩ ପ୍ରମୁଖ ଦଳ ବୁଲି ସାରିଥିବା ପ୍ରକାଶ ଏବେ କେଉଁ ଦଳକୁ ଯାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Related Posts