ଶିକାରୀଙ୍କ କବଜାରେ ଶିମିଳିପାଳ: ୧୬୫ ଟି ବନ୍ଧୁକ ଜବତ କରିବା ସହିତ ୨୧ ଶିକାରୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶିକାରୀଙ୍କ କବଜାରେ ଶିମିଳିପାଳ ଅଭୟାରଣ୍ୟ । ଅବାଧରେ ଚାଲିଛି ବନ୍ୟା ପ୍ରାଣୀ ଶିକାର ଚାଲିଥିବା ବେଳେ ପାଟ୍ରୋଲିଂକୁ କରୁଥିବା ବନ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ଦୁର୍ଦ୍ଦାନ୍ତ ଶିକାରୀ। ଗତ କିଛି ମାସ ମଧ୍ୟରେ ଶିମିଳିପାଳରେ ୨ ବନ କର୍ମଚାରୀଙ୍କ ହତ୍ୟା ମଧ୍ୟ ହୋଇ ସାରିଛି। ଏହାପରେ ଶିମିଳିପାଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଥିବା ବେଳେ ଶିମିଳିପାଳରୁ ୨୧ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଜବତ ହୋଇଛି ୧୬୫ ବନ୍ଧୁକ ।

ଏନେଇ ସୂଚନା ଦେଇ ମୟୂରଭଞ୍ଜ ଏସ୍ ପି ବି. ଗଙ୍ଗାଧର କହିଛନ୍ତି, ମୟୂରଭଞ୍ଜର ୧୪ଟି ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ପରେ ୧୬୫ ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି ଯନ୍ତ୍ରାଂଶ ଜବତ କରଯାଇଛି । ଏଥିସହ ୫୦୦ ଗନ୍ ପାଉଡର, ବଜ୍ରକାପ୍ତା କାତି, ହରିଣ ଶିଙ୍ଗ ମଧ୍ୟ ଜବତ କରଯାଇଛି । ତେବେ ଏହି ଶିକାରୀମାନେ ଏତେ ପରିମାଣର ଅସ୍ତ୍ର କେଉଁଠୁ ଆଣିଲେ, କିଏ ଏହାକୁ ଯୋଗାଉଥିଲା ସେ ନେଇ ଖୋଳତାଡ ଚାଲିଛି।

ତେବେ ପ୍ରଥମ ପର୍ଯ୍ୟାୟ ସର୍ଚ୍ଚ ଅପରେସନ ବେଳେ ୩୦ରୁ ଅଧିକ ବନ୍ଧୁକ ମିଳିଥିଲା । ଏ ପର୍ଯ୍ୟନ୍ତ ୨ଶହରୁ ଅଧିକ ବନ୍ଧୁକ ଜିଲ୍ଲା ପୁଲିସ ଜବତ୍ କରିସାରିଥିବା ଏସପି ସୂଚନା ଦେଇଛନ୍ତି। ସେପଟେ ଆଜି ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ବାରିପଦା ଗସ୍ତ ଅବସରରେ ଶିମିଳିପାଳ ସୁରକ୍ଷା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ସମୀକ୍ଷା କରାଯିବା ନେଇ ସୂଚନା ରହିଛି ।

Related Posts