ଭୁବନେଶ୍ୱର,୨୯/୪(ସତ୍ୟପାଠ ବ୍ୟୁରୋ): ଶିବସେନାର ସିନ୍ଦେ ଗେଷ୍ଠୀକୁ ଲାଗିଛି ବଡ଼ ଝଟକା । ଶିବସେନାର ସମସ୍ତ ସମ୍ପତ୍ତି ସିନ୍ଦେ ଗେଷ୍ଠୀକୁ ହସ୍ତାନ୍ତର କରିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମ କୋର୍ଟ । ବର୍ତ୍ତମାନ, ଶିବସେନାର ସମସ୍ତ ସମ୍ପତ୍ତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ ନିକଟରେ ଅଛି ।
ଏହି ମାମଲାର ଶୁଣାଣି ବେଳେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୁଡ଼ ଆବେଦନକାରୀଙ୍କୁ ତାଗିଦ୍ କରିବା ସହ ଆପଣ କିଏ ? ଏହି ମାମଲାରେ ଆପଣଙ୍କର କଣ ଅଧିକାର ଅଛି ବୋଲି ପ୍ରଶ୍ନ କରିଥିଲେ । ଏହା ସହ ଆବେଦନ ଖାରଜ କରିଦେଇଛନ୍ତି ।
ସୂଚନା ଅନୁସାରେ, ମହାରାଷ୍ଟ୍ରର ଓକିଲ ଆଶିଷ ଗିରି କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଶିବସେନାର ସମସ୍ତ ସମ୍ପତ୍ତି ସିନ୍ଦେ ଦଳକୁ ଦିଆଯିବାକୁ ସେ ଦାବି କରିଥିଲେ । ମହାରାଷ୍ଟ୍ରର ଜଣେ ଭୋଟର ହୋଇଥିବାରୁ ମୁଁ ସୁପ୍ରିମକୋର୍ଟରେ ଏହି ଆବେଦନ କରୁଛି ବୋଲି ଆବେଦନକାରୀ ଆଶିଷ ଗିରି କହିଛନ୍ତି । ଶିବସେନାର ସମ୍ପତ୍ତି ସହ ଜଡିତ ସମସ୍ତ ପ୍ରଶ୍ନର ଠିକ ସମୟରେ ଉତ୍ତର ଦିଆଯିବା ଉଚିତ୍ । ଦଳ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ପରିସ୍ଥିତି ସ୍ପଷ୍ଟ ହେବା ଉଚିତ, ଯାହାଫଳରେ ମହାରାଷ୍ଟ୍ରରେ ତାମିଲନାଡୁ ପରି ପରିସ୍ଥିତି ଉପୁଜିବ ନାହିଁ ବୋଲି କହିଥିଲେ ଆବେଦନକାରୀ ।
ସୂଚନାଯୋଗ୍ୟ ଯେ, ଶିବସେନାରେ ବର୍ତ୍ତମାନ ୧୯୧.୮୨ କୋଟି ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି । ଦାଦରରେ ଥିବା ଶିବସେନା ବିଲ୍ଡିଂକୁ ମଧ୍ୟ ଉଦ୍ଧବ ଦଳ ଦଖଲ କରିଛନ୍ତି । ସୂଚନା ଅନୁସାରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ମୁମ୍ବାଇର ମାତୋଶ୍ରୀର ତିନି ମହଲା କୋଠାର ପ୍ରଥମ ମହଲାକୁ ଜୟଦେବଙ୍କ ନାମରେ ଏବଂ ଦ୍ୱିତୀୟ ଏବଂ ତୃତୀୟ ମହଲାକୁ ଉଦ୍ଧବ ନାମରେ ନାମିତ କରିଥିବାବେଳେ ତଳ ମହଲା ଶିବସେନା ପାଇଁ ରଖାଯାଇଥିଲା । ଏଭଳି ପରିସ୍ଥିତିରେ, ମାତୋଶ୍ରୀ ବିଲ୍ଡିଂର ତଳ ମହଲାର ମାଲିକାନା ଠାକରେଙ୍କ ହାତରୁ ଚାଲିଯାଇପାରେ ବୋଲି ବିଶ୍ୱାସ କରାଯାଉଥିଲା । ହେଲେ ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି।





