ଉତ୍ତରପ୍ରଦେଶ(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟିର ଅଡ଼ୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ବିଧାନସଭା ନିର୍ବାଚନକୁ ୩୦ ଦିନରୁ କମ ସମୟ ଥିବାବେଳେ ଜଣେ ପରେ ଜଣେ ନେତା ଦଳ ଛାଡ଼ୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଉ ଜଣେ ବିଧାୟକ ମୁକେଶ ବର୍ମା ବିଜେପି ଛାଡ଼ିଥିବାର କଥା ସାମ୍ନାକୁ ଆସିଛି । ସବୁଠାରୁ ରୋଚକ କଥାଟି ହେଉଛି ସ୍ୱାମୀ ପ୍ରସାଦ ଶର୍ମାଙ୍କ ସହ ରହିବି କହି ବିଧାୟକ ମୁକେଶ ବର୍ମା ଦଳ ଛାଡ଼ିଛନ୍ତି । ତେବେ ବିଜେପିର ରାଜ୍ୟ ସରକାର ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଦଳିତ, ପଛୁଆ ତଥା ସଂଖ୍ୟାଲଘୁ ସମ୍ପ୍ରଦାୟର ନେତାମାନଙ୍କୁ କୌଣସି ସମ୍ମାନ ଦେଇନାହାଁନ୍ତି ଏବଂ ସେମାନଙ୍କୁ କୌଣସ ସମ୍ମାନ ଦେଉ ନାହାଁନ୍ତି ବୋଲି ବିଧାୟକ ମୁକେଶ ବର୍ମା କହିଛନ୍ତି ।
ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ସାରା ଦେଶର ନଜର ଉତ୍ତରପ୍ରଦେଶ ରାଜନୀତି ଉପରେ ପଡ଼ିଛି । ସେପଟେ ସ୍ୱାମୀଙ୍କୁ ମନାଇବା ପାଇଁ ଗୃହମନ୍ତ୍ରୀଙ୍କୁ ଗୁରୁଦାୟିତ୍ୱ ମିଳିଥିବାବେଳେ ଏପରି ଘଟଣା ବିଜେପି ଦଳକୁ ମଧ୍ୟ ଚିନ୍ତାରେ ପକାଇଛି । ଇସ୍ତଫା ଦେବା ପରେ ବିଧାୟକ କେଉଁ ଦଳରେ ମିଶିବେ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି । ସ୍ୱାମୀଙ୍କ ଇସ୍ତଫା ଦେବା ପରେ ପ୍ରାୟ ୪ ବିଧାୟକ ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା ।





