ଉଦ୍ଧବ ଠାକରେଙ୍କୁ ଝଟକା; ସିନ୍ଦେଙ୍କୁ ମିଳିଲା ଶିବସେନାର ଦଳୀୟ ନାମ ଓ ଧନୁତୀର ଚିହ୍ନ

ଭୁବନେଶ୍ୱର,୧୮/୨(ସତ୍ୟପାଠ ବ୍ୟୁରୋ): ନିର୍ବାଚନ ଆୟୋଗରୁ ଉଦ୍ଧବ ଠାକରେଙ୍କୁ ମିଳିଛି ବଡ଼ ଝଟ୍‌କା। ଏଥିସହିତ ଶିବସେନା ଉପରେ ଅଧିକାରକୁ ନେଇ ସିନ୍ଦେ ଗୋଷ୍ଠୀ ଏବଂ ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦର ଅନ୍ତ ଘଟିଛି। ଶୁକ୍ରବାର ନିର୍ବାଚନ ଆୟୋଗ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ, ଦଳର ନାମ “ଶିବସେନା” ଏବଂ ଦଳର ପ୍ରତୀକ “ଧନୁତୀର” ଏକନାଥ ସିନ୍ଦେଙ୍କ ସହିତ ରହିବ। ନିର୍ବାଚନ ଆୟୋଗର ଏହି ନିଷ୍ପତ୍ତି ଉଦ୍ଧବ ଠାକରେ ଗୋଷ୍ଠୀ ପାଇଁ ଏକ ବଡ଼ ଝଟକା ହୋଇଥିବାବେଳେ ସିନ୍ଦେ ଗୋଷ୍ଠୀକୁ ଏକ ବଡ଼ ଉପଲବ୍ଧି ହାସଲ ହୋଇଛି। ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି ଯେ, ଏହା ବାଲାସାହେବ ଠାକରେଙ୍କ ବିଚାରଧାରାର ବିଜୟ ଅଟେ।

ସୂଚନାଯୋଗ୍ୟ ଯେ, ଶିବସେନା ଦଳରେ ଏକନାଥ ସିନ୍ଦେଙ୍କ ବିଦ୍ରୋହ ଏବଂ ଉଦ୍ଧବ ଠାକରେ ସରକାରଙ୍କ ପତନ ପରଠାରୁ ଉଭୟ ଦଳ ଶିବସେନାର ନାମ ଏବଂ ନିର୍ବାଚନୀ ଚିହ୍ନ ଉପରେ ନିଜର ଅଧିକାର ଦାବି କରିଆସୁଥିଲେ। ନିର୍ବାଚନ ଆୟୋଗଙ୍କ ନିକଟରେ ତମାମ ମାମଲା ବିଚାରାଧୀନ ଥିବାରୁ ଧନୁ ଓ ତୀର ଚିହ୍ନକୁ ଅଚଳ କରି ଉପ-ନିର୍ବାଚନ ପାଇଁ ଉଭୟ ଦଳକୁ ଦୁଇଟି ଭିନ୍ନ ପ୍ରତିକ ବା ଚିହ୍ନ ଦିଆଯାଇଥିଲା। ଯେଉଁଥିରେ ସିନ୍ଦେ ଗୋଷ୍ଠୀକୁ ଦୁଇଟି ଖଣ୍ଡା ଏବଂ ଢ଼ାଲ ଦିଆଯାଇଥିବା ବେଳେ ଏବଂ ଉଦ୍ଧବ ଗୋଷ୍ଠୀକୁ ମଶାଲ ଚିହ୍ନ ଦିଆଯାଇଥିଲା।

ତେବେ ନିର୍ବାଚନ ଆୟୋଗ କହିଛନ୍ତି ଯେ, ଶିବସେନାର ବର୍ତ୍ତମାନର ସମ୍ବିଧାନ ଅଗଣତାନ୍ତ୍ରିକ ଅଟେ। ଗଣତାନ୍ତ୍ରିକ ଭାବେ ବିନା ନିର୍ବାଚନରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଦଳୀୟ ପଦରେ ନିଯୁକ୍ତି ଦେବା ପାଇଁ ଦଳୀୟ ସମ୍ବିଧାନକୁ ବିକୃତ କରାଯାଇଛି। ଦଳର ଏଭଳି ରୂପରେଖ ବିଶ୍ୱାସ କାଏମ ରଖିବାରେ ବିଫଳ ହୋଇଛି ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କ‌ଥା ହେଉଛି ବିଧାନସଭାରେ ମୋଟ ୬୭ ମଧ୍ୟରୁ ୪୦ ଜଣ ବିଧାୟକଙ୍କ ସମର୍ଥନ ଏକନାଥ ସିନ୍ଦେଙ୍କ ସହିତ ରହିଥିବା ବେଳେ ସଂସଦରେ ସିନ୍ଦେ ଗୋଷ୍ଠୀ ସହ ୧୩ ଜଣ ଏବଂ ଉଦ୍ଧବ ଠାକରେଙ୍କ ସହ ୭ ଜଣ ସାଂସଦ ରହିଛନ୍ତି। ଏହି ଆଧାରରେ ସିନ୍ଦେ ଦଳ ସପକ୍ଷରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ (ଇସି) ଏହି ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ ଏପରି ନିଷ୍ପତ୍ତିକୁ ଗଣତନ୍ତ୍ରୀ ହତ୍ୟା ବୋଲି କହିଛନ୍ତି ସଞ୍ଜୟ ରାଉତ୍। ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ଆମେ ଏକ ନୂତନ ପ୍ରତୀକ ବା ଚିହ୍ନ ନେଇ ଲୋକଙ୍କ ସାମ୍ନାକୁ ଯିବୁ ଏବଂ ତା’ପରେ ଏକ ନୂତନ ଶିବସେନା ପ୍ରତିଷ୍ଠା କରିବୁ। ଇସିଙ୍କ ନିଷ୍କତ୍ତି ହେଉଛି ଗଣତନ୍ତ୍ରର ହତ୍ୟା। ଆମେ ମଧ୍ୟ ଆଇନ ଯୁଦ୍ଧରେ ଲଢ଼ିବୁ। ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ମୁଖପାତ୍ର ଆନନ୍ଦ ଦୁବେ କହିଛନ୍ତି ଯେ, ନିର୍ବାଚନ ଆୟୋଗ ହେଉଛି ବିଜେପିର ଏଜେଣ୍ଟ। ବିଜେପି ପାଇଁ କାମ କରନ୍ତି।

Related Posts