ବିଜେଡ଼ି ଛାଡିଲେ ସିମୁଳିଆ ବିଧାୟକ ଜ୍ୟୋତି ପାଣିଗ୍ରାହୀ

ଭୁବନେଶ୍ୱର,୨୨/୫(ସତ୍ୟପାଠ ବ୍ୟୁରୋ):  ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଜେଡି ସଭାପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ଜ୍ୟୋତି ପାଣିଗ୍ରାହୀ। ଏନେଇ ଭିଡିଓ ବାର୍ତ୍ତାରେ ସେ ସୂଚନା ଦେଇଛନ୍ତି। ତାଙ୍କୁ ଏଥର ବିଜେଡି ଟିକେଟ ଦେଇ ନଥିଲା।

ଚଳିତ ନିର୍ବାଚନରେ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ପରିବର୍ତ୍ତେ ବିଜେଡି ସୁବାସିନୀ ସାହୁଙ୍କୁ ସିମୁଳିଆ ଆସନ ପାଇଁ ଟିକେଟ ଦେଇଛି। ଏହାକୁ ଖୋଦ ଜ୍ୟୋତିପ୍ରକାଶଙ୍କ ସମେତ ତାଙ୍କ ସମର୍ଥକମାନେ ସହଜେ ଗ୍ରହଣ କରିପାରିନଥିଲେ। ଫଳରେ ଗତ କିଛି ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ଜ୍ୟୋତିପ୍ରକାଶ ଆଜି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।

ଜ୍ୟୋତିପ୍ରକାଶ ପାଣିଗ୍ରାହୀ ରାଜ୍ୟ ମନ୍ତ୍ରୀମଣ୍ଡଳରେ ସଂସ୍କୃତି ବିଭାଗ ସମ୍ଭାଳୁଥିଲେ। ନିଜ ଅଞ୍ଚଳରେ ତାଙ୍କର ଭଲ ଦବଦବା ଥିବା ବେଳେ କ’ଣ ପାଇଁ ଏଥର ତାଙ୍କ ଟିକେଟ କଟିଛି ସେ ନେଇ କିଛି ସ୍ପଷ୍ଟ ଉତ୍ତର ମିଳି ପାରିନି। ତେବେ ଏବେ ତାଙ୍କ ରାଜନୈତିକ ଭବିଷ୍ୟତ କ’ଣ ହେବ, ସେ ଆଗାମୀ ଦିନରେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ସେ ବିଷୟରେ କିଛି ସୂଚନା ମିଳିନାହିଁ।

Related Posts