ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି: ବଡ଼ ଦାବି କଲେ ଆଦିତ୍ୟ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ କୁହାଯାଇଛି ବୋଲି ଶନିବାର ଦାବି କରିଛନ୍ତି ଶିବସେନା (ୟୁବିଟି) ନେତା ତଥା ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ।

ସେ କହିଛନ୍ତି ଯେ, ମହାରାଷ୍ଟ୍ର ସରକାରରେ ଏନ୍‌ସିପି ନେତା ଅଜିତ ପାୱାର ସାମିଲ ହେବା ପରେ ଏବେ ସରକାରରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ସଙ୍କେତ ମିଳିଛି। ମୁଁ ତ ଏହା ବି ଶୁଣିବାକୁ ପାଇଛି ଯେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦାଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି।

ଆଦିତ୍ୟ ଠାକରେ ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ଏବେ ଅତି ନିମ୍ନ ସ୍ତରର ରାଜନୀତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଚୌକି ବିପଦରେ ରହିଛି। ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇପାରୁ ନାହିଁ। ଏବେ ସେହି ଧୋକାବାଜମାନଙ୍କର କ’ଣ ହେବ, ଯେଉଁମାନେ ଲୋଭରେ ବର୍ଷେ ତଳେ ସେମାନଙ୍କ ମନ୍ତ୍ରୀ ପଦ ଛାଡ଼ି ଦେଇଥିଲେ? ମହା ବିକାଶ ଅଘାଡ଼ି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆମେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ଏହି ସରକାର ବିରୋଧରେ ଲଢ଼େଇ କରିବୁ। ଏହି ସରକାରରେ ଯେଉଁମାନେ ସାମିଲ ଅଛନ୍ତି, ସେମାନେ ସମସ୍ତେ ନିଜ ସ୍ୱାର୍ଥ ପାଇଁ ଅଛନ୍ତି। ସେମାନେ କେବଳ ଦଳ ଭାଙ୍ଗିବା କାର୍ଯ୍ୟ କରୁଛନ୍ତି।

ସେପଟେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାବିସ କହିଛନ୍ତି ଯେ, ଆମେ କୌଣସି ଦଳକୁ ଭାଙ୍ଗୁ ନାହୁଁ। ଯଦି କେହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଶ୍ୱାସ ରଖି ଆମସହ ମିଶିବାକୁ ଚାହେଁ, ଆମେ ତାଙ୍କୁ ସ୍ୱାଗତ କରୁ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ବିଧାନସଭାର ତତ୍କାଳୀନ ବିରୋଧୀ ଦଳ ନେତା ତଥା ଏନ୍‌ସିପି ନେତା ଅଜିତ ପାୱାର ଗତ ୨ ତାରିଖରେ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଥିଲେ। ସେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତାଙ୍କ ସହିତ ଦଳର ଆଉ ୯ ଜଣ ବିଧାୟକ ମଧ୍ୟ ସରକାରରେ ସାମିଲ ହୋଇଥିଲେ। ଏହାପରେ ପୁଣି ରେମହାରଷ୍ଟ୍ରରେ ରାଜନୀତି ସରଗରମ ହୋଇଛି |

Related Posts