‘ଖୁବ୍‌ଶୀଘ୍ର ଅଯୋଗ୍ୟ ଘୋଷିତ ହେବେ ସିନ୍ଦେଙ୍କ ୧୬ ବିଧାୟକ, ଅଜିତ ପାୱାର୍‌ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ‌’: ସଞ୍ଜୟ ରାଉତ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତକାଲି ମହାରାଷ୍ଟ୍ର ରାଜନୀତିରେ ବଡ଼ ହଟଚମଟ ପରେ ଆଜି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ | ସେ କହିଛନ୍ତି ଯେ, ଏକନାଥ ସିନ୍ଦେଙ୍କ ପରିବର୍ତ୍ତେ ଖୁବ୍‌ ଶୀଘ୍ର ‘ଏନ୍‌ସିପି’ ନେତା ଅଜିତ ପାୱାର୍‌ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ | ସେ ଆହୁରି ମଧ୍ୟ କହିଛନ୍ତି, ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଯିବ ଏବଂ ତାଙ୍କ ସହିତ ଥିବା ୧୬ ବିଦ୍ରୋହୀ ‘ଶିବସେନା’ ବିଧାୟକମାନଙ୍କୁ ବି ଅଯୋଗ୍ୟ ଘୋଷଣା କରାଯିବ।

ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’କୁ ସଞ୍ଜୟ ରାଉତ କହିଛନ୍ତି, ଆଜି ମୁଁ କ୍ୟାମେରା ଆଗରେ କହୁଛି, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ବଦଳିଯିବେ | ଏକନାଥ ସିନ୍ଦେଙ୍କୁ ହଟାଇ ଦିଆଯିବ। ଏକନାଥ ସିନ୍ଦେ ଓ ୧୬ ବିଧାୟକ ଅଯୋଗ୍ୟ ଘୋଷିତ ହେବେ।

ଶିବସେନା, ଏନ୍‌ସିପି ଓ କଂ‌ଗ୍ରେସକୁ ବିଜେପି ଭାଙ୍ଗୁଛି କିନ୍ତୁ, ଏଥିରୁ ସେମାନେ ଆଦୌ ଲାଭ ପାଇବେ ନାହିଁ। ମହାରାଷ୍ଟ୍ରରେ ଆମେ ଏକତ୍ର ହୋଇ ୨୦୨୪ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବୁ। ‘ଏନ୍‌ସିପି’ ନେତାମାନେ ଦୁର୍ନୀତିରେ ଲିପ୍ତ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିବା ବେଳେ ବର୍ତ୍ତମାନ ସେହି ନେତାମାନେ ରାଜଭବନରେ ଶପଥ ଗ୍ରହଣ କରିବା ବଡ଼ କ୍ଷୋଭର କଥା ବୋଲି ରାଉତ କହିଛନ୍ତି।

ସେପଟେ ଦଳର ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ଶିବସେନା (ୟୁବିଟି) ପକ୍ଷରୁ କୁହାଯାଇଛି ଯେ, ୨୪ ବର୍ଷ ପୂର୍ବେ ଦଳ ସଂସ୍ଥାପନା କରିଥିବା ଦାଦାଙ୍କୁ ଆଘାତ ଦେଇ ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାର ଏନ୍‌ସିପିରୁ ପୃଥକ୍‌ ହୋଇଗଲେ। ସିନ୍ଦେ-ବିଜେପି ସରକାରେ ୮ଜଣ ଏନ୍‌ସିପି ନେତା ବି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। କିନ୍ତୁ, ଏଭଳି ରାଜନୀତିକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ। ରାଜ୍ୟରେ ଏଭଳି ରାଜନୈତିକ ପରମ୍ପରା ନ ଥିଲା। ତେଣୁ ଜନତା ଏହାକୁ ସମର୍ଥନ କରିବ ନାହିଁ।

ତେବେ ଗତକାଲିର ଘଟଣାକ୍ରମ ପରେ ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି ଯେ, ଅଜିତ ମନ୍ତ୍ରିମଣ୍ଡଳରେ ସାମିଲ ହେବାନେଇ କୌଣସି ଆଲୋଚନା ତାଙ୍କ ସହ କରି ନାହାନ୍ତି | ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ | ତେବେ ମହାରାଷ୍ଟ୍ରର ଲୋକେ ଏହାର ଜବାବ ଦେବେ ଓ ସେ ପୁଣି ଲୋକଙ୍କ ପାଖକୁ ଯାଇ ଦଳକୁ ମୂଳରୁ ପୁନଃର୍ଗଠନ କରିବେ ବୋଲି ଶରଦ କହିଛନ୍ତି |

Related Posts