ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ ଘୋଷଣା ସାମ୍ନାକୁ ଆସିଛି । TMCର ଆପତ୍ତିକୁ ଖାରଜ କରି କୋର୍ଟ କହିଛନ୍ତି ଯେ ନିର୍ବାଚନୀ ମାମଲାରେ ନିଷ୍ପତ୍ତି ନେବାର ଚୂଡ଼ାନ୍ତ ଅଧିକାର କେବଳ ନିର୍ବାଚନ ଆୟୋଗଙ୍କ ନିକଟରେ ରହିଛି। ତେବେ ଟିଏମସି ଅଭିଯୋଗ କରିଥିଲା ଯେ ଏସଆଇଆର ପ୍ରକ୍ରିୟାକୁ ରାଜନୈତିକ ଲାଭ ଲାଗି ଉପଯୋଗ କରାଯାଇ ପାରେ। ଏହା ଦ୍ୱାରା ଭୋଟର ଲିଷ୍ଟ ପ୍ରଭାବିତ ହେବ। ତେବେ କୋର୍ଟ କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟା କିପରି ହେବ ତାହା ସମ୍ପୂର୍ଣ୍ଣ ନିର୍ବାଚନ ଆୟୋଗଙ୍କ ଉପରେ ନିର୍ଭର କରେ। କାରଣ ଏହା ଆୟୋଗଙ୍କ ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ।
କୋର୍ଟ ଏହା ବି ସ୍ପଷ୍ଟ କରିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ଆଇନ ଉଲ୍ଲଂଘନ ନ ହୋଇଛି ସେ ପର୍ଯ୍ୟନ୍ତ ଏଥିରେ ନ୍ୟାୟାଳୟ ହସ୍ତକ୍ଷେପ କରିପାରିବେ ନାହିଁ। ମାମଲାରେ କୋର୍ଟଙ୍କ କଡ଼ା ଟିପ୍ପଣୀକୁ ଏବେ ପଶ୍ଚିମବଙ୍ଗ ରାଜନୀତି ଲାଗି ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ନିର୍ବାଚନ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ଏଥିରେ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ପରିସ୍ଥିତିକୁ ଆହୁରି ଗରମ କରିଛି। ସେପଟେ ଏସଆଇଆର ଏବେ ପଶ୍ଚିମବଙ୍ଗ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ଏଥିରେ ଆଇନ ବିଶେଷଜ୍ଞଙ୍କ କହିବା କଥା ହେଉଛି ସୁପ୍ରିମକୋର୍ଟଙ୍କ ଏହି ଆଭିମୁଖ୍ୟ ନିର୍ବାଚନ ଆୟୋଗଙ୍କ ସ୍ୱାୟତତାକୁ ଆହୁରି ମଜଭୁତ କରିଛି।
ଏଣୁ ନିର୍ବାଚନ ପ୍ରକ୍ରିୟାଗୁଡିକରେ ଅନାବଶ୍ୟକ ବିଚାରବିଭାଗୀୟ ହସ୍ତକ୍ଷେପ ସୀମିତ ହୋଇଯାଇଛି। ଏବେ ସମସ୍ତଙ୍କ ନଜର ନିର୍ବାଚନ ଆୟୋଗଙ୍କ ଉପରେ, ଏସଆଇଆରକୁ ନେଇ ସେ ଏବେ କଣ ଗାଇଡଲାଇନ ଜାରି କରିବେ ଓ ଏହାକୁ ରାଜ୍ୟରେ କିପରି ଲାଗୁ କରାଯିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି।





