ଅବକାରୀ ଦୁର୍ନୀତି ମାମଲାରେ ପ୍ରମାଣ ନଷ୍ଟ ପାଇଁ ୧୪୦ଟି ଫୋନ୍ ବଦଳାଇଛନ୍ତି ସିସୋଦିଆ ଓ ଅନ୍ଯ ଅଭିଯୁକ୍ତ: ଇଡି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ବହୁଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ଇଡି ପୁଣି ଏକ ନୂଆ ଦାବି କରିଛି। ପ୍ରମାଣ ନଷ୍ଟ କରିବାକୁ ଯାଇ ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଅନ୍ୟମାନେ ବାରମ୍ବାର ଫୋନ୍ ଓ ସିମ୍ ବଦଳାଇଛନ୍ତି ବୋଲି ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି।

ବିଜେପି ପ୍ରତିଦିନ ଆମ୍ ଆଦମୀ ପାର୍ଟି ସରକାରର ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜଣେ ଦୁର୍ନୀତିଖୋର ବ୍ୟକ୍ତି ବୋଲି କହିଆସୁଛି। ଏସବୁ ମଧ୍ୟରେ ଇଡି ଏକ ବଡ଼ ଦାବି କହିଛି ଯେ ଡିଜିଟାଲ ପ୍ରମାଣ ନଷ୍ଟ କରିବା ପାଇଁ ଏହି ମାମଲାର ଅଭିଯୁକ୍ତ ମାନେ ପ୍ରାୟ ୧୪୦ଟି ଫୋନକୁ ବଦଳାଇଛନ୍ତି।

ଇଡି ଦାବି କରିଛି ଯେ, ତଦନ୍ତ ସମୟରେ ଏହା ଜଣାପଡିଛି କି ଡିଜିଟାଲ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଅବକାରୀ ଦୁର୍ନୀତିରେ ସମ୍ପୃକ୍ତ ୩୪ ଜଣ ବ୍ୟକ୍ତି ୧୪୦ ଟି ଫୋନ୍ (ପ୍ରାୟ ୧.୨୦ କୋଟି ଟଙ୍କା) ବଦଳାଇଥିବା ଜଣାପଡିଛି। ଏହି ଫୋନ୍ ବଦଳ କରିବା ତାଲିକାରେ ଦୁର୍ନୀତି ମାମଲାରେ ଥିବା ମୁଖ୍ୟ ଅଭିଯୁକ୍ତ, ମଦ ବ୍ୟବସାୟୀ, ସରକାରଙ୍କ ବରିଷ୍ଠ ଅଧିକାରୀ, ଦିଲ୍ଲୀର ଅବକାରୀ ମନ୍ତ୍ରୀ ଏବଂ ଅନ୍ୟ ସନ୍ଦିଗ୍ଧ ବ୍ୟକ୍ତି ରହିଛନ୍ତି ବୋଲି ଇଡି ଦାବି କରିଥିବା ସୂଚନା ରହିଛି।

ସେପଟେ ଏହି ମାମଲାରେ ଇଡି କିଛି ବ୍ୟକ୍ତିଙ୍କୁ ଗିରଫ କରି ଜେରା କରୁଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ରାଜସାକ୍ଷୀ (ସିସୋଦିଆଙ୍କ ଘନିଷ୍ଠ ବ୍ୟକ୍ତି) ହେବ ବୋଲି କହିଛି। ଏହି ମାମଲାରେ ଉଭୟ ସିବିଆଇ ଏବଂ ଇଡି ତଦନ୍ତ କରୁଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ରେଡ୍ କରିଛନ୍ତି। ନଭେମ୍ବର ୧୭ରେ ଦିଲ୍ଲୀରେ ଲାଗୁ ହୋଇଥିବା ନୂଆ ଅବକାରୀ ନୀତି ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଖୋଲା ଟେଣ୍ଡର ମାଧ୍ୟମରେ ୮୪୯ଟି ମଦ ଦୋକାନର ଲାଇସେନ୍ସ ପ୍ରଦାନ କରାଯାଇଥିଲା। ତେବେ ଜୁଲାଇ ୩୦ରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଏଥିରେ ଦୁର୍ନୀତି ହୋଇଥିବା ସନ୍ଦେହ କରି ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ। ଏହାପରେ ଦିଲ୍ଲୀ ସରକାର ଏହି ଅବକାରୀ ନୀତି ପ୍ରତ୍ୟାହାର କରିଥିଲେ।

Related Posts