ଭୁବନେଶ୍ୱର,୭/୧(ସତ୍ୟପାଠ ବ୍ୟୁରୋ): ଆକାଶ ଛୁଆଁ ହେଲାଣି ପେଟ୍ରୋଲ ଦର। ଏକ ଲିଟର ପେଟ୍ରୋଲ ର ଦର ଆଜିର ଦିନରେ ଶତକ ପାର କରି ସାରିଲାଣି। ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ ପେଟ୍ରୋଲ ବିକି ମାଲାମାଲ ହେଉଛନ୍ତି ତେଲ କମ୍ପାନୀ । ଗୋଟିଏ ଲିଟର ପେଟ୍ରୋଲ ପାଇଁ ପକେଟରୁ ୧୦୦ରୁ ଅଧିକ ଟଙ୍କା ଦେବାକୁ ପଡୁଛି । ଏପରି ସ୍ଥିତିରେ ତେଲ କମ୍ପାନୀ କେତେ ଲାଭ ବା କ୍ଷତି ସହୁଛନ୍ତି ତାକୁ ନେଇ ଏକ ରିପୋର୍ଟ ଆସିଛି । ଯେଉଁଥିରୁ ଜଣାପଡିଛି ଏବେ ପ୍ରତି ଲିଟର ପେଟ୍ରୋଲରେ ୧୦ ଟଙ୍କାର ଲାଭ କରୁଛନ୍ତି ତେଲ କମ୍ପାନୀ । କିନ୍ତୁ ସାଧାରଣ ଗ୍ରାହକମାନଙ୍କ ଲାଗି ଦାମରେ କୌଣସି ହ୍ରାସ କରାଯାଉନାହିଁ।
ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୮ ଡଲାରକୁ ହ୍ରାସ ପାଇବା ପରେ ତେଲ କମ୍ପାନୀଗୁଡ଼ିକ ଅଧିକ ଲାଭବାନ ହୋଇଛନ୍ତି । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରାଳୟ ମଧ୍ୟ ଏ କ୍ଷେତ୍ରରେ ହସ୍ତକ୍ଷେପ କରୁନାହିଁ । ଏହା ଦ୍ୱାରା ଦେଶର ସାଧାରଣ ଜନତା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି । କମ୍ ଦାମରେ ତେଲ କିଣିବାରୁ ବଞ୍ଚିତ ହୋଇଛନ୍ତି ।
ତେବେ ଦେଶର ତିନି ସରକାରୀ ତେଲ କମ୍ପାନୀ ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ଦୀର୍ଘ ୧୫ ମାସ ହେଲାଣି ତେଲ ଦାମ୍ ଅପରିବର୍ତ୍ତିତ ରଖିଛନ୍ତି । ଶେଷ ଥର ପାଇଁ ୨୦୨୨ ଏପ୍ରିଲ୍ ୬ ତାରିଖରେ ଦାମ୍ ବଦଳିଥିଲା । ଏହା ପରେ ଅଶୋଧିତ ତେଲ ଦାମରେ ବଡ଼ ଧରଣର ହ୍ରାସ ହୋଇଥିଲେ ମଧ୍ୟ ସେମାନେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ କମ୍ କରିବା ବିଷୟରେ ଚିନ୍ତା ବି କରୁନାହାନ୍ତି । ତେବେ ଡିଜେଲ୍ ଲିଟରରେ ଏବେବି ୬.୫ ଟଙ୍କାର କ୍ଷତି ହେଉଥିବାରୁ ସେମାନେ ପେଟ୍ରୋଲର ଲାଭକୁ ଡିଜେଲ୍ କ୍ଷତି ଭରଣା କରିବା ଲାଗି ବ୍ୟବହାର କରୁଥିବା କହିଛନ୍ତି ।





