ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ସଂସଦରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲକୁ ନେଇ ଆଜି ଲୋକସଭାରେ ଜାରି ରହିଛି ଚର୍ଚ୍ଚା ।ଶାସକ ଓ ବିରୋଧୀ ଆଜି ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରି ମତ ରଖୁଛନ୍ତି । ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଆଜି ଏହି ବିଲ୍ ଚର୍ଚ୍ଚାରେ ଅଂଶଗ୍ରହଣ କରି ଏହାକୁ ସମର୍ଥନ ଦେବା ସହ ଏହାକୁ ଶିଘ୍ର ଲାଗୁ କରିବା ଦାବି ଉଠାଇଥିଲେ । ହେଲେ ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଚର୍ଚ୍ଚାରେ ଅଂଶଗ୍ରହଣ କରି କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି । କଂଗ୍ରେସ ଏହି ବିଲର ଶ୍ରେୟ ନେବାକୁ ପ୍ରୟାସ କରୁଛି । ବିଲ୍ ଆଗତ କରିବା ପାଇଁ ସରକାରଙ୍କୁ ଚିଠି ଲେଖିଥିବା କଥା କହୁଛି । ହେଲେ କଂଗ୍ରେସ ଏହି ଅଧିନିୟନର ଶେଷ ଟର୍ମରେ SC/ST ଙ୍କୁ ସଂରକ୍ଷଣ ନମିଳୁ ବୋଲି ଚାହୁଁଥିବା ସ୍ମୃତି ଅଭିଯୋଗ କରିଛନ୍ତି ।
ସେ ଆହୁରି କହିଛନ୍ତି, କିଛି ଲୋକେ ଏହି ବିଲ୍ ସେମାନଙ୍କର ବୋଲି ଦାବି କରୁଛି । ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକ ଆର୍ଟିକିଲରେ ଉଲ୍ଲେଖ କରିଛନ୍ତି, ସଂରକ୍ଷଣର ତୃତୀୟ ସାଧାରଣ ନିର୍ବାଚନରେ ଏହି ଅଧିନିୟମରେ SC/ST ବର୍ଗକୁ କୌଣସି ସଂରକ୍ଷଣ ସୁବିଧା ରଖାଯିବ ନାହିଁ । ପୂର୍ବ ଦୁଇ ନିର୍ବାଚନରେ ଏହା କାର୍ଯ୍ୟକାରୀ ହେଲେ ସୁଦ୍ଧା ତୃତୀୟ ଥର ନିର୍ବାଚନରେ SC/ST ବର୍ଗକୁ ସଂରକ୍ଷଣ ଦେବା ବିରୋଧରେ କଂଗ୍ରେସ ପ୍ରସ୍ତାବ ରଖିଥିଲା । ହେଲେ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ସରକାର ଏହି ବିଲ୍ ଆଗତ କରିଛନ୍ତି, ଯାହା କାର୍ଯ୍ୟକାରୀ ହେବାର ଆସନ୍ତା 15 ବର୍ଷ ପର୍ଯ୍ୟନ୍ତ ମହିଳାଙ୍କୁ 33 ପ୍ରତିଶତ ସଂରକ୍ଷଣ ଦେବ । ଏଥିରେ SC/ST ବର୍ଗ ମଧ୍ୟ ସାମିଲ ରହିବେ । ଏହା ବିଜେପି ସରକାରର ଏକ ଐତିହାସିକ ଉପଲବ୍ଧି ।
ଆଜି ପୂର୍ବାହ୍ନରେ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରି ସୋନିଆ କହିଛନ୍ତି, ଏହି ବିଲ୍ କଂଗ୍ରେସର ପ୍ରୟାସ ଥିଲା । ପ୍ରଥମ ଥର ଏହି ବିଲ୍ ରାଜୀବ ଗାନ୍ଧୀ ତାଙ୍କ ଶାସନ କାଳରେ ଆଣିଥିଲେ । ନରସିଂହ୍ମା ରାଓଙ୍କ ସରକାରରେ ଏହାକୁ ରାଜ୍ଯସଭାରେ ପାରିତ କରାଯାଇଥିଲା । ଏହା ଏବେ ସଂସଦରେ ପାରିତ ହୋଇ ଆଇନରେ ପରିଣତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ସାକାର ହେବା ନେଇ ସୋନିଆ କହିଥିଲେ । ସେହିପରି ଦୀର୍ଘ ବର୍ଷ ହେବ କଂଗ୍ରେସ ଏହି ବିଲ୍ ଆଣିବା ପାଇଁ ଦାବି କରିଥିଲା । ଏବେ ଏହାକୁ ସରକାର ବିଳମ୍ବ ନକରି ତ୍ବରାନ୍ବିତ ଭାବେ କାର୍ଯ୍ୟକାରୀ କରନ୍ତୁ ବୋଲି ମଧ୍ୟ ସୋନିଆ କହିଥିଲେ । ତେବେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏହି ବିଲକୁ ଭାରତୀୟ ଜନତା ପାର୍ଟି ସରକାରର ଐତିହାସିକ ଉପଲବ୍ଧି ଦର୍ଶାଇବା ସହ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି ।





