ଭୁବନେଶ୍ଵର,୨୭/୨(ସତ୍ୟପାଠ ବ୍ୟୁରୋ): ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଚିଟଫଣ୍ଡ ସଂସ୍ଥାର ସମ୍ପତ୍ତି ଜବତ ହୋଇଛି। ମାତ୍ର କେବଳ ରୋଜ ଭ୍ୟାଲିର ପ୍ରାୟ ୧ ଲକ୍ଷ ୬୪ ହଜାର କ୍ଷୁଦ୍ର ଜମାକାରୀଙ୍କୁ ୬୦.୨୨ କୋଟି ଟଙ୍କା ଫେରସ୍ତ ହୋଇଛି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଆଜି ବିଧାନସଭାରେ ଏହି ଉତ୍ତର ଦେଇଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅର୍ଥମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟରୁ ଜଣାପଡିଛି ଯେ, ଓଡ଼ିଶା ଜମାକାରୀ ସ୍ୱାର୍ଥର ସୁରକ୍ଷା ଅଧିନିୟମ, ୨୦୧୧ର ବ୍ୟବସ୍ଥା ଅନୁଯାୟୀ ସ୍ଥାପିତ ପଦନାମିତ ନ୍ୟାୟାଳୟଙ୍କର ଚଡାନ୍ତ ରାୟ ଆଧାରରେ ଏପର୍ଯ୍ୟନ୍ତ ୩୦ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସମ୍ପତ୍ତି ଜବତ ହୋଇଛି। ତେବେ ଏହି ୩୦ଟି ଚିଟଫଣ୍ଡ ସଂସ୍ଥା ମଧ୍ୟରୁ କେବଳ ରୋଜଭ୍ୟାଲିର ଚିହ୍ନଟ ହୋଇଥିବା ୨,୩୮,୪୭୭ କ୍ଷୁଦ୍ର ଜମାକାରୀଙ୍କ ମଧ୍ୟରୁ ୧,୬୪,୪୬୧ ଜଣଙ୍କୁ ୬୦,୨୨,୩୪,୭୨୬ ଟଙ୍କା ଫେରସ୍ତ ହୋଇଛି। ବାକି ସଂସ୍ଥା ଗୁଡ଼ିକର ସମ୍ପତ୍ତି ଜବତ ହୋଇଥିଲେ ମଧ୍ୟ କୌଣସି କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇନଥିବା ବିଧାନସଭାରେ ଅର୍ଥମନ୍ତ୍ରୀ ରଖିଥିବା ତଥ୍ୟରୁ ଜଣା ପଡିଛି। ତେବେ ଅନ୍ୟ ୨୯ଟି ସଂସ୍ଥାର ସମ୍ପତ୍ତି ଜବତ ହୋଇଥିଲେ ମଧ୍ୟ କିଛି ର ସମ୍ପତ୍ତି ବିକ୍ରି କରାଯାଇଥିବା ବେଳେ କିଛିର ବିକ୍ରି ବାକି ରହିଛି। ରୋଜଭ୍ୟାଲି କୁ ଛାଡ଼ିଲେ ଅନ୍ୟ କୌଣସି ସଂସ୍ଥାର ଜମାକାରୀ ତାଙ୍କର ଅର୍ଥ ଫେରସ୍ତ ପାଇ ନାହାଁନ୍ତି।
ସୂଚନାଯୋଗ୍ୟ ଯେ, ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ ଓଡ଼ିଶା ଜମାକାରୀ ସ୍ବାର୍ଥ ସୁରକ୍ଷା ଆଇନରେ ସ୍ଥାପିତ ସ୍ଵତନ୍ତ୍ର କୋର୍ଟମାନଙ୍କ ଚୁଡାନ୍ତ ରାୟ ଆଧାରରେ କେଉଁ କେଉଁ ଚିଟଫଣ୍ଡ ସଂସ୍ଥାର କେତେ ସମ୍ପତ୍ତି ଜବତ କରାଯାଇଛି ଓ ଜବତ ସମ୍ପତ୍ତି ମଧ୍ୟରୁ କେତେ କୁ ବିକ୍ରି କରାଯାଇ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇଛି। ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।





