ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଓ ନିଜ ଦଳକୁ ପ୍ରଶ୍ନ ଘେରକୁ ଆଣିବା ପରେ ଏବେ ତାଙ୍କ ବିରୋଧରେ ଜଣେ ପରେ ଜଣେ ନେତା ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି। ଗତକାଲି ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପରେ ଆଜି ସୌମ୍ୟଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅତନୁ କହିଛନ୍ତି ଯେ, ଦଳରେ ଥାଇ ଦଳକୁ ବ୍ଲାକମେଲ କରୁଛନ୍ତି ସୌମ୍ୟ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି କି, ସୌମ୍ୟ ବାବୁ କ’ଣ, କେତେ ଥର ଦଳ ପରିବର୍ତ୍ତନ କରି ଏଠିକି ଆସିଛନ୍ତି ତାହା ସମସ୍ତେ ଜାଣିଛନ୍ତି । ବିଗତ ଦିନରେ ମଧ୍ୟ ସେ ବ୍ଲାକମେଲ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ଗସ୍ତ କରି ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିଲେ ସେଥିରେ ସୌମ୍ୟ ବାବୁଙ୍କ ଅସୁବିଧା କେଉଁଠି ରହିଲା । ବ୍ଲାକମେଲ କରିବା କିମ୍ବା ରାଜନୈତିକ ସଂକୀର୍ଣ୍ଣତାକୁ ନେଇ ଚାଲିବା ଠିକ ନୁହେଁ ବୋଲି ସେ କହିଛନ୍ତି।
ଅତନୁ ଆହୁରି କହିଛନ୍ତି ଯେ, ଦଳକୁ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରକୁ ଟାର୍ଗେଟ୍ କରି ବାରମ୍ବାର ଲେଖୁଛନ୍ତି ସୌମ୍ୟ ବାବୁ । ଏହା ଆଦୌ ଗ୍ରହଣୀୟ ନୁହେଁ କହିଲେ ଅତନୁ ସବ୍ୟସାଚୀ । ସୌମ୍ୟ ବାବୁ ଜାଣିବା ଆବଶ୍ୟକ ଦଳରେ ରହି ଦଳ ବିରୋଧରେ କାର୍ଯ୍ୟ କଲେ ଆଗକୁ ବଢିପାରିବେ କି ? ସୌମ୍ୟ ବାବୁ ଯେଉଁ ପ୍ରଶ୍ନ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତ ଉତ୍ତର ଦେଇପାରିବ ନାହିଁ । ଗୋଟେ ପଥରକୁ ଢେଲା ମାରିଲେ ସେହି ପଥର ପ୍ରତିଫଳିତ ହୋଇ ନିଜ ଆଡକୁ ଆସିବ । ଦଳରେ ରହିକି ଦଳ ବିରୋଧି ମନ୍ତବ୍ୟ ଦେବା, ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଲେଖିବା ଏହା ଗ୍ରହଣୀୟ ନୁହେଁ । ଏହା ଦଳ ବିରୋଧୀ କାର୍ଯ୍ୟ କିନ୍ତୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ହେବ ନା ନାହିଁ ତାହା ଦଳର ସଭାପତି ନିଷ୍ପତି ନେବେ ।





