ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଓଡ଼ିଶାର ସବୁ ପ୍ରାନ୍ତକୁ ପ୍ରବେଶ କରି ପ୍ରବାହିତ ହୋଇଛି ମୌସୁମୀ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଗ୍ରଗତି ସଂକ୍ରାନ୍ତରେ ଜାରି ବିବୃତିରେ ଆଜି ଭାରତୀୟ ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ଅଗ୍ରସର ହୋଇ ମଧ୍ୟପ୍ରଦେଶର ଅଧିକାଂଶ ଅଞ୍ଚଳ, ଛତିଶଗଡ଼ ଓ ଉତ୍ତରପଶ୍ଚିମ ବ‌େଙ୍ଗୋପସାଗରର ବାକି ଅଞ୍ଚଳ, ସମଗ୍ର ଓଡ଼ିଶା ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ଓ ବିହାର ଅଧିକାଂଶ ଅଞ୍ଚଳ ଓ ଦକ୍ଷିଣ-ପୂର୍ବ ଉତ୍ତର ପ୍ରଦେଶର କିଛି ଅଞ୍ଚଳକୁ ବ୍ୟାପି ଯାଇଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ସମ୍ପ୍ରତି ‘ନର୍‌ର୍ଦନ୍‌ ଲିମିଟ୍‌ ଅଫ୍‌ ମନ୍‌ସୁନ୍‌’ (ଏନ୍‌ଏଲ୍‌ଏମ୍‌) ଉତ୍ତର ଅକ୍ଷାଂଶର ୨୨ ଡିଗ୍ରି/ ପୂର୍ବ ଦ୍ରାଘିମାର ୬୦ ଡିଗ୍ରି ଏବଂ ଉତ୍ତର ଅକ୍ଷାଂଶର ୨୨ ଡିଗ୍ରି/ ପୂର୍ବ ଦ୍ରାଘିମାର ୬୫ ଡିଗ୍ରି ମଧ୍ୟସ୍ଥ ପୋରବନ୍ଦର, ବରୋଦା, ଶିବପୁରୀ, ରେୱା, ଚୁର୍କ ଦେଇ ଅଗ୍ରସର ହେଉଛି।

ଏହା ବ୍ୟତିରେକେ, ଗୁରୁବାର ପର୍ଯ୍ୟନ୍ତ ଆସାମ ଓ ମେଘାଳୟରେ ପ୍ରବଳରୁ ପ୍ରବଳତର ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।

ସୂଚନାଯୋଗ୍ୟ, ବୃଷ୍ଟିପାତଜନିତ ବନ୍ୟା ଓ ଭୂସ୍ଖଳ ହେତୁ ଆସାମରେ ୭୧ଜଣଙ୍କର ମୃତ୍ୟୁ ଘଟିବା ସହିତ ୩୩ଟି ଜିଲ୍ଲାରେ ୪୨ ଲକ୍ଷ ଜନତା ପ୍ରଭାବିତ ହୋଇଛନ୍ତି। ଏପର୍ଯ୍ୟନ୍ତ ଅନ୍ୟୂନ ୮ଜଣ ବ୍ୟକ୍ତି ନିଖୋଜ ହୋଇଥିବା ଖବର ମଧ୍ୟ ମିଳିଛି ।

Related Posts