ଡ୍ରାଇଭର ଆନ୍ଦୋଳନ ନେଇ ବାଚସ୍ପତିଙ୍କ ରୁଲିଂ, ଆସନ୍ତାକାଲି ବିଧାନସଭାରେ ଉତ୍ତର ରଖିବେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡ୍ରାଇଭର ଆନ୍ଦୋଳନକୁ ନେଇ ବିଧାନସଭା ଅଚଳ। ବିରୋଧୀ ସଦସ୍ୟଙ୍କ ହଙ୍ଗାମା ଯୋଗୁଁ ଗୃହ ବାରମ୍ବାର ମୁଲତବି । ଶୂନ୍ୟକାଳରେ ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି କଂଗ୍ରେସ ଓ ବିଜେପି ସଦସୟଙ୍କ ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଥମେ ୧୦ ମିନିଟ, ପରେ ୧୫ ମିନିଟ, ପୁଣି ୧୦ ମିନିଟ ମୁଲତବି କରିଥିଲେ । ଗୃହ ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ସୁଦ୍ଧା କୌଣସି ନିର୍ଯ୍ୟାସ ବାହାରିପାରିଲା ନାହିଁ । ପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।

ସେପଟେ ଡ୍ରାଇଭର ମହାସଂଘ ସହ ପରିବହନ ମନ୍ତ୍ରୀ ଆଲୋଚନା କରି ଶୁକ୍ରବାର ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତିଙ୍କ ରୁଲିଂ ଦେଇଛନ୍ତି । ବାଚସ୍ପତିଙ୍କ ରୁଲିଂ ପରେ ପରିବହନ ମନ୍ତ୍ରୀ ଆସନ୍ତାକାଲି ଗୃହରେ କଣ ଉତ୍ତର ରଖିବେ ତାକୁ ଏବେ ଅପେକ୍ଷା ରହିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇଥିଲେ । ସରକାର ସେମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଆଉ ଗୋଟିଏ ଗ୍ରୁପକୁ ଉସୁକାଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେହିପରି ବିଜେପି କହିଛି ଡ୍ରାଇଭର ମାନେ ନିଜର ହକ ପାଇଁ ଗତ କାଲିଠାରୁ ରାଜରାସ୍ତାକୁ ଆସିଛନ୍ତି। କିନ୍ତୁ ସରକାର ଚୁପ୍। ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିବା ସହ ସମସ୍ୟାର ସମାଧାନ କରିବା ପାଇଁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି।

ସେପଟେ ଆଜି ଦ୍ବିତୀୟ ଦିନରେ ମଧ୍ୟ ଧର୍ମଘଟ ଜାରି ରଖିଛି ଡ୍ରାଇଭର ସଂଘ। ଧର୍ମଘଟ ଫଳରେ ରାଜ୍ୟବ୍ୟାପୀ ପରିବହନ ବ୍ୟବସ୍ଥା ଏକରକମ ଠପ୍ ହୋଇଯାଇଛି ।

Related Posts