୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ; ଆଗୁଆ ନିର୍ବାଚନ ଓ ୱାନ ନେସନ ୱାନ ଇଲେକସନ ବିଲ୍‌ ଆସିବା ନେଇ ଚର୍ଚ୍ଚା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ସେପ୍ଟେମ୍ବେର ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ୨୨ ଯାଏ ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ସଂପର୍କରେ କୌଣସି ଏଜେଣ୍ଡା ପ୍ରକାଶ କରାଯାଇ ନାହିଁ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗୁରବାର ‘ଏକ୍ସ’ (ଟୁଇଟର) ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି‌ ଯେ ଅମୃତକାଳ ମଧ୍ୟରେ ହେଉଥିବା ଏହି ଅଧିବେଶନରେ ଫଳପ୍ରଦ ଆଲୋଚନା ହେବ ବୋଲି ଆଶା କରାଯାଉଛି।ତେବେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ, ସେସଂପର୍କରେ ସେ କିଛି ଜଣାଇ ନାହାନ୍ତି। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଥିବା ବେଳେ ସରକାର ସେପ୍ଟେମ୍ବର ୧୮ରୁ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିବାର କାରଣ ଏବେବି ଅସ୍ପଷ୍ଟ ରହିଛି। ଏହାକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି।

ସୂଚନାଯୋଗ୍ୟ ଯେ ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଦେଶରେ ଜିଏସ୍‌ଟି ଲାଗୁ କରିବା ନେଇ ୩୦ ଜୁନ୨୦୧୭ରେ ମଧ୍ୟରାତ୍ରିରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ଦ୍ବିତୀୟ ଥର ପାଇଁ ୫ ଦିନିଆ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ସଂସଦର ସ୍ବତନ୍ତ୍ର ଅଧିବେଶନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ସବୁଠାରୁ ଗୁରୁତ୍ବପୁର୍ଣ୍ଣ କଥା ହେଉଛି ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡାକୁ ସାର୍ବଜନୀନ କରାଯାଇନାହିଁ। ଅଧିବେଶନ ନୂଆ ବିଲ୍‌ଡିଂରେ ନା ପୁରୁଣା ବିଲ୍‌ଡିଂରେ ବସିବ ସେ ନେଇ କୌଣସି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେ‌ବେ ବୈଠକ ପୁରୁଣା ବିଲଡିଂରେ ଆରମ୍ଭ ହେବ ଏବଂ ନୂଆ ବିଲଡିଂରେ ଅଧିବେଶନ ଶେଷ ହେବ ବୋଲି କୁହାଯାଉଛି। ତେବେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନ ବସିବାର କାର୍ଯ୍ୟକ୍ରମ ନାହିଁ।

ରାଜନୈତିକ ମହଲରେ ଯାହା ଚର୍ଚ୍ଚା ହେଉଛି, ସେଥିରେ ସରକାର ସମ୍ଭବତଃ ଜମ୍ମୁ-କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବା ପାଇଁ ଏପରି ଏକ ଅଧିବେଶନ ଡାକିଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟରେ ଧାରା ୩୭୦ ଉଚ୍ଛେଦ ମାମଲାର ଶୁଣାଣି ଜାରି ରହିଛି। ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ରାଜ୍ୟ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି। ଜମ୍ମୁ-କାଶ୍ମୀରରେ ନିର୍ବାଚନ କରାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କୁହାଯାଇ ଥିବା ବେଳେ ବିଲ୍‌ ମାଧ୍ୟମରେ ଜମ୍ମୁ-କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ‌ହେଉଛି। ଏହାବାଦ୍‌ ୫ ଦିନିଆ ଅଧିବେଶନର ଏଜେଣ୍ଡାରେ ଅମୃତକାଳର ଉତ୍ସବ ଓ ଭାରତକୁ ଗୋଟିଏ ବିକଶିତ ରାଷ୍ଟ୍ରଭାବେ ଗଢ଼ି ତୋଳିବା ପ୍ରସ୍ତାବ ମଧ୍ୟ ସାମିଲ ହୋଇପାରେ, ‌ଯେଉଁଥିରେ ଚନ୍ଦ୍ରଯାନ-୩ର ସଫଳତା ଭଳି ସରକାରଙ୍କ ଉପଲବ୍ଧି ସଂପର୍କରେ ଚର୍ଚ୍ଚା କରାଯାଇପାରିବ। ଆସନ୍ତା ସେପ୍ଟମ୍ବର ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ହେବ। ଏହି ସମ୍ମିଳନୀର ସଫଳ ଆୟୋଜନକୁ ନେଇ ସ୍ବତନ୍ତ୍ର ଅଧିବେଶନରେ ଉଲ୍ଲେଖ କରାଯାଇପାରେ।

ଚଳିତ ବର୍ଷ ଶେଷରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଯୋଗୁଁ ନଭେମ୍ବର-ଡିସେମ୍ବରରେ ଆରମ୍ଭ ହେବାକୁ ଥବା ସଂସଦର ଶୀତକାଳୀନ ଅଧିବେଶନ ବିଳମ୍ବିତ ହୋଇପାରେ। ସମ୍ଭବତଃ ସରକାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଉପଲବ୍ଧିକୁ ପ୍ରକାଶ କରିବା ପାଇଁ ସ୍ବତନ୍ତ୍ର ଅଧିବେଶନର ପ୍ଲାଟଫର୍ମକୁ ଉପଯୋଗ କରିପାରନ୍ତି ବୋଲି ଚର୍ଚ୍ଚ‌ା ହେଉଛି। ଆଉ ଗୋଟିଏ କାରଣ ସଂପର୍କରେ ଯାହା ଚର୍ଚ୍ଚା ହେଉଛି କିଛି ଦିନ ପୂର୍ବେ ବିରୋଧୀ ଦଳମାନେ ମୋଦୀ ସରକାର ଏଥର ସାଧାରଣ ନିର୍ବାଚନ ଆଗୁଆ କରିପାରନ୍ତି ବୋଲି ଆକଳନ କରିଥିଲେ। ମୋଦୀ ସରକାର ଜାନୁଆରି ଅଥବା ଫେବ୍ରୁଆରି ମାସରେ ସାଧାରଣ ନିର୍ବାଚନ କରାଇପାରନ୍ତି ବୋଲି ଦିଲ୍ଲୀ ରାଜନୈତିକ ଅଳିନ୍ଦରେ ଏବେ ଚର୍ଚ୍ଚା ଜୋର ଧରିଛି। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦେଇଥିବା ବୟାନର ଗୁରୁତ୍ବ ଥିବା ଏବେ ଆଲୋଚନା ହେଉଛି।

ଏହି ଦୁଇ ନେତା ନିୟମିତ ସମୟ ପୂର୍ବରୁ ଲୋକସଭା ନିର୍ବାଚନ ହୋଇପାରେ ବୋଲି ବୟାନ ଦେଇଥିଲେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଗାମୀ ଲୋକସଭା ନିର୍ବାଚନକୁ ନେଇ ବିଜେପି ମଧ୍ୟ ପ୍ରସ୍ତୁତିରେ ଲାଗି ପଡ଼ିଛି। ଏମିତି ସ୍ଥିତିରେ ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯିବା ଏଭଳି ଅନୁମାନକୁ ଖୋରାକ ଯୋଗାଇଛି। ଏଥିସହିତ ସ୍ବତନ୍ତ୍ର ଅଧିବେଶନ ଡକାଯିବା ଦ୍ବାରା ଆଉ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେଉଛି ତାହା ହେଲା ସରକାର ୱାନ ନେସନ ୱାନ ଇଲେକସନ ବିଲ୍‌ । ଏହି ବିଲ୍‌କୁ ସରକାର ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସରକାର ପୂର୍ବରୁ ଏକକ ନିର୍ବାଚନ କରାଇବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା କରିସାରିଛନ୍ତି। ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ଉଲ୍ଲେଖ କରିଥିବା ଏକାଧିକ ପ୍ରସଙ୍ଗକୁ କାର୍ଯ୍ୟକାରୀ କରୁଥିବାବେଳେ ୱାନ ନେସନ ୱାନ ଇଲେକସନ ବିଲ୍‌ ପାରିତ କରିବା ପାଇଁ ପ୍ରୟାସ କରିପାରେ ବୋଲି ଚର୍ଚ୍ଚା ହେଉଛି।

Related Posts