‘ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ’: ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଓଡିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ପୂର୍ତ୍ତି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଏହି ଅବସରେ ସେ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇଛନ୍ତି| ‘ଜୟ ଜଗନ୍ନାଥ’ କହି ନିଜର ଅଭିଭାଷଣ ଆରମ୍ଭ କରିବା ସହ କାରଗିଲ ଦିବସ ଅବସରରେ ସହିଦଙ୍କୁ ନମନ କରିଛନ୍ତି ରାଷ୍ଟ୍ରପତି। ଓଡ଼ିଶାର ସହିଦ ପଦ୍ମପାଣି ଆଚାର୍ଯ୍ୟଙ୍କ କଥା ମଧ୍ୟ ନିଜ ଭାଷଣରେ ଉଲ୍ଲେଖ କରିଛନ୍ତି।

କଟକର ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ସଭାରେ ରାଷ୍ଟ୍ରପତି କହିଛନ୍ତି ଯେ, ଦେଶରେ ଏବେ ବିଳମ୍ବିତ ନ୍ୟାୟ ଚିନ୍ତାର ବିଷୟ ହୋଇପଡ଼ିଛି। ବିଳମ୍ବିତ ନ୍ୟାୟ ପ୍ରଦାନ ପାଇଁ ଅନେକ ଲୋକ ହଇରାଣ ହେଉଛନ୍ତି। ଏଥିପାଇଁ ଅନେକଙ୍କ ଜୀବନ ଜେଲରେ କଟୁଛି। ନ୍ୟାୟ ବିଳମ୍ବ ଯୋଗୁଁ ପୀଡ଼ିତ ମଧ୍ୟ ହତାଶ ହୋଇପଡୁଛି। ତ୍ୱରିତ ନ୍ୟାୟ ଉଭୟ ପୀଡ଼ିତ ଓ ନିର୍ଦ୍ଦୋଷଙ୍କୁ ସହାୟକ ହେବ। ବଞ୍ଚିତମାନଙ୍କୁ ଉପଯୁକ୍ତ ନ୍ୟାୟିକ ସୁବିଧା ମିଳୁ। ଏକଥା ମୁଁ ଆଗରୁ କହିଆସିଛି। ଏବେ ପୁଣି ସେହି କଥାକୁ ଦୋହରାଉଛି। ଅନେକ ଆଇନଜୀବୀ ମାଗଣାରେ ସେବା କରୁଛନ୍ତି। ଏହାଦ୍ବାରା ସାଧାରଣ ଲୋକ ବି ସହଜରେ ନ୍ୟାୟ ପାଇପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଡକ୍ଟର ଏସ ମୁରଲୀଧର, ବାର ଆସୋସିଏସନର ସଭାପତି ଧରଣୀଧର ନାୟକ ଓ ରାଜ୍ୟ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଉପସ୍ଥିତ ଥିଲେ। ଏହାଛଡ଼ା ଏହି କାର୍ଯ୍ୟକ୍ରମରେ ବହୁ ଆଇନଜୀବୀ ଓ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Related Posts