ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚେନ୍ନାଇ ସୁପରକିଙ୍ଗସର ବରିଷ୍ଠ ଖେଳାଳୀ ତଥା ଷ୍ଟାର ଆଲରାଉଣ୍ଡର ଡ୍ବେନ ବ୍ରାଭୋ ଆଇପିଏଲ ୨୦୨୩ ଖେଳିବେ ନାହିଁ । ସେ କେବଳ ୨୦୨୩ ଆଇପିଏଲ ନୁହେଁ ସମ୍ପୂର୍ଣ ଆଇପିଏଲରୁ ଅବସର ଘୋଷଣା କରିଛନ୍ତି । ହେଲେ ସେ ଆଇପିଏଲରୁ ଅବସର ନେବା ଘୋଷଣା କରିବା ପରେ ଚେନ୍ନାଇ ସୁପରକିଙ୍ଗସ ତାଙ୍କୁ ବୋଲିଂ କୋଚ୍ ଭାବେ ନିଯୁକ୍ତି କରିବାକୁ ଘୋଷଣା କରିଛି । ଏନେଇ ସିଏସକେ ତରଫରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।
ସୂଚନା ମୁତାବକ ଚେନ୍ନାଇ ସୁପରକିଙ୍ଗସର ବୋଲିଂ କୋଚ୍ ଥିବା ଲକ୍ଷ୍ମୀପତି ବାଲାଜୀ ଗୋଟିଏ ବର୍ଷ ପାଇଁ ବ୍ରେକ୍ ନେଇଥିବାରୁ ତାଙ୍କ ସ୍ଥାନରେ ବ୍ରାଭୋଙ୍କୁ ବୋଲିଂ କୋଚ ଭାବେ ନିଯୁକ୍ତି ଦିଆଯାଇଛି ।
ସେପଟେ ବ୍ରାଭୋଙ୍କ ଆଇପିଏଲ କ୍ୟାରିଅରକୁ ଯଦି ନଜର ପକାଇବା ତେବେ ସେ ଆଇପିଏଲରୁ ମୋଟ ୧୫୬୦ ରନ୍ ସଂଗ୍ରହ କରିଥିବା ବେଳେ ୧୮୩ ଟି ୱିକେଟ ହାସଲ କରିଛନ୍ତି । ବ୍ରାଭୋ ଆଇପିଏଲ ସିଜିନ ଆରମ୍ଭରୁ ଟୁର୍ଣ୍ଣାମେଣ୍ଟ ସହ ଜଡିତ ରହିଛନ୍ତି । ସେ ପ୍ରଥମେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ।
ବ୍ରାଭୋଙ୍କ ମୋଟ ଆଇପିଏଲ ଖେଳର ପ୍ରଭାବ ଦେଖିଲେ ସେ ୧୬୧ ଟି ମ୍ୟାଚ୍ ଖେଳି ୧୫୬୦ ରନ ସଂଗ୍ରହ କରିଛନ୍ତି । ଏହାସହ ୧୮୩ ଟି ୱିକେଟ ହାସଲ କରିଛନ୍ତି । ଏହା ମଧ୍ୟରେ ସେ ୫ ଟି ଅର୍ଦ୍ଧଶତକ କରିଛନ୍ତି । ବୋଲିଂରେ ସେ ୨୨ ରନ ଦେଇ ୪ ଟି ୱିକେଟ ହାସଲ କରିବା ହେଉଛି ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।
ତେବେ କ୍ରିକେଟ ପଡ଼ିଆରେ ବ୍ରାଭୋ ଜଣେ ଷ୍ଟାର ଆଲରାଉଣ୍ଡର। ସେ ଦଳକୁ ସବୁବେଳେ କଠିନ ପରିସ୍ଥିତିରୁ ଉଦ୍ଧାର କରୁଥିବା ବେଳେ ତାଙ୍କ ନିଆରା ସେଲିବ୍ରେଶନ ପାଇଁ ସେ ସବୁବେଳେ କ୍ରିକେଟ ପ୍ରେମୀଙ୍କ ପସନ୍ଦ ହୋଇ ରହିଛନ୍ତି। ତେବେ ଆଉ ପଡ଼ିଆରେ ବ୍ରାଭୋଙ୍କ ୟୁନିକ ସେଲିବ୍ରେଶନ ଦେଖିବାକୁ ମିଳିବ ନାହିଁ ଯାହା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି।





