ଭୁବନେଶ୍ୱର: ଯୁବ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଓ ଷ୍ଟାର୍ଟଅପ୍ ମାଧ୍ୟମରେ ରାଜ୍ୟର ଅର୍ଥନୀତିକୁ ସଶକ୍ତ କରିବା ଲକ୍ଷ୍ୟରେ ଭୁବନେଶ୍ୱରସ୍ଥିତ ଓ-ହବ ଠାରେ ଏକ ଷ୍ଟାର୍ଟଅପ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ କହିଥିଲେ ଯେ, “ସଶକ୍ତ ଷ୍ଟାର୍ଟଅପ୍ ହେଲେ ରାଜ୍ୟ ସମୃଦ୍ଧି ଦିଗରେ ଆଗେଇ ପାରିବ।”ମନ୍ତ୍ରୀ କହିଥିଲେ ଯେ, ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କ ସ୍ଵପ୍ନ ଓ ସଂକଳ୍ପକୁ ସାକାର କରିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଉଛନ୍ତି। ଯୁବପିଢ଼ି ନୂତନ ଉଦ୍ୟମ ଆରମ୍ଭ କରି ରୋଜଗାର ସୃଷ୍ଟି କରିବାରେ ଆଗକୁ ଆସିବା ଦରକାର ବୋଲି ସେ ଆହ୍ୱାନ କରିଥିଲେ।କାର୍ଯ୍ୟକ୍ରମରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା ସ୍ୱାଗତ ଅଭିଭାଷଣ ଦେଇ ବିଭାଗ ପକ୍ଷରୁ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ଦିଆଯାଉଥିବା ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ବିଷୟରେ ତଥ୍ୟ ଦେଇଥିଲେ। ସେ କହିଥିଲେ ଯେ, ଷ୍ଟାର୍ଟଅପ୍ମାନଙ୍କୁ ମାସିକ ଭତ୍ତା ଅନୁଦାନ, ଉତ୍ପାଦ ବିକାଶ, ମାର୍କେଟିଂ ସହାୟତା ଓ ଆବଶ୍ୟକତା ଆଧାରିତ ସହାୟତା ମାଧ୍ୟମରେ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି।ସମ୍ମିଳନୀରେ ମୋଟ ୧୨ ଜଣ ଯୁବ ଷ୍ଟାର୍ଟଅପ୍ ଉଦ୍ୟୋଗୀଙ୍କୁ ମନ୍ତ୍ରୀ ଆର୍ଥିକ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଉତ୍ପାଦ ବିକାଶ ଓ ମାର୍କେଟିଂ ସହାୟତା ବାବଦରେ ଡିରାକାଇ, ଇଗଲ୍ ଏଆଇ, ଜୟଦେବ ନାଚୁରାଲ୍ ଫୁଡ୍ସ୍, ଇକୋ ସାଥ୍ ଗ୍ରୀନ୍ ଇଣ୍ଡିଆ, ରେଟ୍ରୋଡ୍ ଓ ସେରଲକ୍ ଷ୍ଟୁଡିଓ ପ୍ରୋତ୍ସାହନ ରାଶି ପାଇଥିଲେ। ଏହା ସହ ଆବଶ୍ୟକତା ଆଧାରିତ ସହାୟତା ଭାବେ ଆଷ୍ଟ୍ରୋନେକ୍ସଟ୍ ଟେକ୍ନୋଲୋଜିସ୍, ଟେଷ୍ଟ କ୍ୱେଷ୍ଟ ଇ-ଲର୍ନିଂ, ଏନସି ସ୍କୋୟାର୍ ଏଡ୍ଟେକ୍, ରେଟ୍ରିକ୍ ଡିଜାଇନ୍ସ, ଡିଏମଏନ୍ ଏଡଟେକ୍ ଓ ଟିଡିବି ରୁଟଲଞ୍ଚ ଷ୍ଟାର୍ଟଅପ୍କୁ ଅନୁଦାନ ଦିଆଯାଇଥିଲା।ଷ୍ଟାର୍ଟଅପ୍ ଓଡ଼ିଶାର ମୁଖ୍ୟ ପ୍ରଶାସନିକ ଅଧିକାରୀ ପ୍ରଫୁଲ୍ଲ କୁଜୁର ଧନ୍ୟବାଦ ଜଣାଇଥିଲେ। ସେହିପରି ଇଗଲ୍ ଏଆଇ ଓ ରେଟ୍ରିକ୍ ଡିଜାଇନ୍ସ ନିଜର ଷ୍ଟାର୍ଟଅପ୍ ଯାତ୍ରା ଓ ଅନୁଭବ ଅଂଶୀଦାର କରିଥିଲେ।ସୂଚନାଯୋଗ୍ୟ ଯେ, ଓଡ଼ିଶା ଷ୍ଟାର୍ଟଅପ୍ ପଲିସି ମାଧ୍ୟମରେ ଯୁବ ଉଦ୍ୟୋଗୀଙ୍କୁ ଆର୍ଥିକ ସହାୟତା, ମେଣ୍ଟରସିପ୍, ବିପଣନ ଓ ନେଟୱର୍କିଂ ସହିତ ବିଭିନ୍ନ ସୁଯୋଗ ପ୍ରଦାନ କରାଯାଉଛି।





