ରାଜ୍ୟ କ୍ୟାବିନେଟ: ୩୨ ମିନିଟରେ ୩୨ ପ୍ରସ୍ତାବ ପାରିତ

ଭୁବନେଶ୍ୱର: ଆଜି ବସିଛି ରାଜ୍ୟ କ୍ୟାବିନେଟ୍ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଛି ଏହି ବୈଠକ। ତେବେ ଏହି ବୈଠକ ରେ ଅନେକ ଗୁରୁତ୍ତ୍ୱପୂର୍ଣ ପ୍ରସ୍ତାବ ଉପରେ ମୋହର ବାଜି ବାକୁ ଥିବା ବେଳେ ରାଜ୍ୟ କ୍ୟାବିନେଟ ମାତ୍ର ୩୨ ମିନିଟରେ ମୋଟ ୩୨ ଏଜେଣ୍ଡାକୁ ଅନୁମୋଦନ କରିଛନ୍ତି ।

ମାତ୍ର ଏତେ କମ୍ ସମୟ ମଧ୍ୟରେ ଏତେସଂଖ୍ୟକ ଏଜେଣ୍ଡାକୁ ରାଜ୍ୟ କ୍ୟାବିନେଟ କିଭଳି ମଞ୍ଜୁରୀ ଦେଲେ ଓ ମନ୍ତ୍ରୀମାନଙ୍କ ଭୂମିକା ସେହି ବୈଠକରେ କ’ଣ ଥିଲା ତାକୁ ନେଇ ଏବେ ପାୱାର କରିଡରରେ ଚର୍ଚ୍ଚା ।

ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆଜି ବୁଧବାର ସନ୍ଧ୍ୟା ୫ଟା ୩୦ ମିନିଟରେ ରାଜ୍ୟ କ୍ୟାବିନେଟ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା । ମନ୍ତ୍ରୀମାନଙ୍କୁ ବୈଠକର ସମୟ ସମ୍ପର୍କରେ ଆଗୁଆ ସୂଚନା ଦିଆଯାଇଥିଲେ ମଧ୍ୟ କ୍ୟାବିନେଟ ଏଜେଣ୍ଡାର ବିସ୍ତୃତ ତଥ୍ୟ କ’ଣ ରହିବ ତାହା ସେମାନଙ୍କୁ ଅବଗତ କରାଯାଇନଥିଲା ବୋଲି ଜଣାପଡ଼ିଛି । କେବଳ କ୍ୟାବିନେଟ ବୈଠକରେ ୨୯ଟି ଏଜେଣ୍ଡା ଆସିବ ବୋଲି ଆଜି ମଧ୍ୟାହ୍ନରେ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଲିଖିତ ଭାବେ ସୂଚିତ କରାଯାଇଥିଲା । କିନ୍ତୁ ବୈଠକରେ ଏହି ଏଜେଣ୍ଡା ସଂଖ୍ୟା ବଢ଼ି ୩୨ ହୋଇଥିବା ସୂଚନା ମିଳିଛି ।

ସଂସଦୀୟ ବ୍ୟାପାର ବିଭାଗର ସୂତ୍ର ଅନୁସାରେ, ଆଜି ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ୫ଟା ୩୩ ମିନିଟରୁ ୬ଟା ୦୫ ମିନିଟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୋଟ ୩୩ଟି ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ଦେଇଛନ୍ତି । ତେବେ ମାତ୍ର ୩୨ ମିନିଟରେ କିଭଳି ୩୨ଟି ଏଜେଣ୍ଡାକୁ କ୍ୟାବିନେଟ ମଞ୍ଜୁରୀ ଦେଲେ ଓ ଗୋଟିଏ ଲେଖାଏ ଏଜେଣ୍ଡା ଉପରେ କେତେ ସମୟ ଆଲୋଚନା ହେଲା ତାହା ଏବେ ଚର୍ଚ୍ଚାର ବିଷୟ ।

କ୍ୟାବିନେଟ୍ ବୈଠକରେ ଆସୁଥିବା ପ୍ରସ୍ତାବ ଗୁଡ଼ିକ ରାଜ୍ୟର ଭାଗ୍ୟ ଓ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ସଂକ୍ରାନ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିଲେ ମଧ୍ୟ ସେଗୁଡ଼ିକ ଉପରେ ମନ୍ତ୍ରୀମାନଙ୍କୁ ଆଲୋଚନା ପାଇଁ ସୁଯୋଗ ନମିଳିବା ଅନ୍ତତଃ ପରିତାପର ବିଷୟ ବୋଲି ଜଣାପଡ଼ିଛି ।

Related Posts