ରାଜ୍ୟ ସରକାର ଡ୍ରାମା ନ କରି ଗ୍ୟାସ ଉପରେ ନେଉଥିବା ସର୍ବାଧିକ ଟିକସ ଛାଡ଼ କରନ୍ତୁ: ବିଜେପି ମୁଖପାତ୍ର ସୋନାଲି ସାହୁ

ଭୁବନେଶ୍ଵର,୪/୩(ସତ୍ୟପାଠ ବ୍ୟୁରୋ): ଗ୍ୟାସ ଦର ବୃଦ୍ଧିକୁ ନେଇ ରାଜ୍ୟର ଶାସକ ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା ଓ ବିକ୍ଷୋଭ ପ୍ରଦର୍ଶନ ପରେ ଏହାର ଜବାବ୍ ରଖିଛି ବିଜେପି। ବିଜେପି ରାଜ୍ୟ ମୁଖପାତ୍ର ସୋନାଲୀ ସାହୁ ଏନେଇ କହିଛନ୍ତି ଯେ, ଗ୍ୟାସ ଭଳି ପଦାର୍ଥର ଦର ଅନ୍ତର୍ଜାତୀୟ ବଜାର ସ୍ଥିର କରିଥାଏ। ଏଥିରେ ମୋଦୀ ସରକାରଙ୍କ କୌଣସି ଭୂମିକା ନାହିଁ। ଗ୍ୟାସ ଉପରେ ସର୍ବାଧିକ ଟିକସ ରାଜ୍ୟ ସରକାର ନେଉଛନ୍ତି। ତେଣୁ ପ୍ରଥମେ ରାଜ୍ୟ ସରକାର ସିଂହ ଭାଗ ଟିକସ ଛାଡ଼ କରନ୍ତୁ। ରାଜ୍ୟ ସରକାର ଏଠି ଡ୍ରାମା ନ କରି ସାହସ ଅଛି ତ ଗ୍ୟାସ ଭଳି ପଦାର୍ଥକୁ ଜିଏସ୍‌ଟି କାଉନସିଲ୍‌ରେ ଦାବି ଉପସ୍ଥାପନ କରନ୍ତୁ ବୋଲି ସେ କହିଛନ୍ତି ।

ଶ୍ରୀମତୀ ସାହୁ କହିଛନ୍ତି ଯେ ନିରଙ୍କୁଶ ଶାସନ କ୍ଷମତାରେ ରହି ସୁଦ୍ଧା ଆଳୁ, ପିଆଜ ଭଳି ନିତିଦିନିଆ ଅତ୍ୟାବଶ୍ୟକୀୟ ଘରୋଇ ଜିନିଷର ଦରଦାମ ନିୟନ୍ତ୍ରଣ କରିବାରେ ବିଜେଡି ସରକାର ବିଫଳ ହୋଇଛନ୍ତି। ଦରଦାମ ବୃଦ୍ଧି ପ୍ରସଙ୍ଗରେ କୁମ୍ଭୀର କାନ୍ଦଣା କାନ୍ଦିବା ଅତ୍ୟନ୍ତ ହାସ୍ୟାସ୍ପଦ। ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଷଡ଼ଯନ୍ତ୍ରକୁ ଲୁଚେଇବା ପାଇଁ ବିଜୁ ଜନତା ଦଳ ଗ୍ୟାସ ଦର ବଢ଼ିବାର ନୂଆ ନାଟକ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେଡିର ନେତୃମଣ୍ଡଳୀଙ୍କ ଏଭଳି ଡ୍ରାମା ରାଜନୈତିକ ଅପରିପକ୍ୱତାକୁ ଦର୍ଶାଉଛି। ଦେଶରେ ରୋଷେଇ ଗ୍ୟାସର ଚାହିଦାକୁ ପୂରଣ କରିବା ପାଇଁ ଅନ୍ୟ ଦେଶ ଉପରେ ଭାରତ ନିର୍ଭରଶୀଳ। ଅନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ହେଉଥିବା ଦରକୁ ନେଇ ରୋଷେଇ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ଗ୍ୟାସ ଭଳି ପଦାର୍ଥର ଦରଦାମ ଉପରେ ସରକାରଙ୍କ କୌଣସି ନିୟନ୍ତ୍ରଣ ନ ଥାଏ। ଏହି କ୍ରମରେ ବର୍ତମାନ ଗ୍ୟାସ ମୂଲ୍ୟରେ ବୃଦ୍ଧି ପାଇଛି ଓ ଆଗାମୀ ଦିନରେ ହ୍ରାସ ମଧ୍ୟ ପାଇବ। ଏହା ଏକ ନିରନ୍ତର ପ୍ରକ୍ରିୟା। ଦରଦାମ ବୃଦ୍ଧି ନେଇ ବିଜେଡିର ଅଭିଯୋଗର କୌଣସି ଭିତ୍ତି ନାହିଁ ନାହିଁ ବୋଲି ଶ୍ରୀମତୀ ସାହୁ କହିଛନ୍ତି।

Related Posts