ଭୁବନେଶ୍ଵର(ସତ୍ୟପାଠ ବ୍ୟୁରୋ): ଭିତର, ବାହାର ଏବଂ ଚଳନ୍ତି ରତ୍ନଭଣ୍ଡାରରେ ଠାକୁରଙ୍କ ସବୁ ମୂଲ୍ୟବାନ ଅଳଙ୍କାର ଠିକ୍ଠାକ୍ ରହିଛି । ଏଣୁ ଏବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ହିସାବ ନେବାକୁ କମିଟି ଗଠନ କରିବାର କୌଣସି ଆବଶ୍ୟକତା ନାହିଁ । ଭିତର ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ୍ କରିବା ମାମଲାରେ ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରଶାସନ ଏଭଳି ସତ୍ୟପାଠ ଦାଖଲ କରିଛନ୍ତି ।
ଏହାର ଅର୍ଥ ହେଉଛି ସରକାର ଏବେ ରତ୍ନଭଣ୍ଡାର ଖୋଲିବା ସପକ୍ଷରେ ନାହାନ୍ତି । ସତ୍ୟପାଠରୁ ଏକଥା ସ୍ପଷ୍ଟ ହେଉଛି ଯେ, ୪୫ ବର୍ଷ ତଳେ ୧୯୭୮ ମସିହାରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲାଯାଇ ଠାକୁରଙ୍କ ଅଳଙ୍କାରର ହିସାବ ନିଆଯାଇଥିଲା । ସରକାର ଦର୍ଶାଇଛନ୍ତି, ରତ୍ନଭଣ୍ଡାରରେ ପାଖପାଖି ଦେଢ଼ କ୍ୱିଣ୍ଟାଲ (୧୪୯ କେଜି ୪୬୦ ଗ୍ରାମ) ସୁନା ଓ ୧୮୪ କେଜି ରୂପା ରହିଛି । ସତ୍ୟପାଠରେ ଦିଆଯାଇଥିବା ଅଳଙ୍କାର ତାଲିକାକୁ ଆକଳନ କଲେ ଏ ହିସାବ ମିଳୁଛି ।
ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପ ମରାମତି ମାମଲାରେ ଆଜି ଗୋଟେ ପଟେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ଗବେଷଣା ସଂସ୍ଥା(ଏଏସ୍ଆଇ) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା । ଅନ୍ୟପକ୍ଷରେ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଛି । ଏହି ଜବାବ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଏବଂ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି ଆସନ୍ତା ୧୪ ତାରିଖକୁ ଧାର୍ଯ୍ୟ କରିଛନ୍ତି ।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ନୀତି ପ୍ରଶାସକ ହାଇକୋର୍ଟରେ ରତ୍ନଭଣ୍ଡାର ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ଶ୍ରୀମନ୍ଦିରର ରତ୍ନଭଣ୍ଡାରରେ କେତେ ସୁନା, ରୁପା ଅଳଙ୍କାର ରହିଛି ତାହାର ଏକ ବିସ୍ତୃତ ତଥ୍ୟ ଦିଆଯାଇଛି । ଏଥିରେ ଦର୍ଶାଯାଇଛି, ତିନୋଟି କକ୍ଷରେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରଖାଯାଇଛି । ଭିତର ରତ୍ନଭଣ୍ଡାର(କାଟାଗୋରୀ-୧) । ବାହାର ରତ୍ନଭଣ୍ଡାର(କାଟାଗୋରୀ-୨) ଏବଂ ତୃତୀୟ କାଟାଗୋରୀରେ ଥିବା ରତ୍ନଭଣ୍ଡାର ହେଉଛି ଚଳନ୍ତି ଭଣ୍ଡାର । ଭିତର ରତ୍ନଭଣ୍ଡାରରେ ଥିବା ଅଳଙ୍କାର କେବେ ବି ମହାପ୍ରଭୁଙ୍କ କୌଣସି କାର୍ଯ୍ୟରେ ବ୍ୟବହାର କରାଯାଏ ନାହିଁ । ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାର ମହାପ୍ରଭୁଙ୍କ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟବହାର କରାଯାଇଥାଏ । ତୃତୀୟ କାଟାଗୋରୀ ବା ଚଳନ୍ତି ରତ୍ନଭଣ୍ଡାରରେ ରହୁଥିବା ଅଳଙ୍କାର ଭଗବାନଙ୍କ ନିତ୍ୟ ବ୍ୟବହାର ପାଇଁ ରଖାଯାଇଥାଏ ।
ଏହି ତିନୋଟି କାଟାଗୋରୀରେ ପ୍ରାୟ ଦେଢ଼ କୁଇଣ୍ଟାଲର ସୁନାର ଅଳଙ୍କାର ରହିଛି । ସେହପରି ୧୮୩ କେଜି ୯୮୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ଏଥିରେ ଗୋଟେ ଭରିକୁ ୧୧.୬୬ ଗ୍ରାମ୍ ଭାବରେ ହିସାବ କରାଯାଇଛି । ଭିତର ରତ୍ନଭଣ୍ଡାର(କାଟାଗୋରୀ-୧)ରେ ୫୦ କେଜି ୬୦୦ ଗ୍ରାମ୍ର ସୁନା ଅଳଙ୍କାର ଥିଲାବେଳେ ୧୩୪ କେଜି ୫୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାର(ଦ୍ୱିତୀୟ କାଟାଗୋରୀ)ରେ ୯୫ କେଜି ୩୨୦ ଗ୍ରାମ୍ର ସୁନା ଥିଲାବେଳେ ୧୯ କେଜି ୪୮୦ ଗ୍ରାମ୍ର ରୁପା ଅଳଙ୍କାର ରହିଛି । ସେହିପରି ଚଳନ୍ତି ରତ୍ନଭଣ୍ଡାର(ତୃତୀୟ କାଟାଗୋରୀ)ରେ ୩ କେଜି ୪୮୦ ଗ୍ରାମ୍ର ସୁନା ଏବଂ ୩୦ କେଜି ୩୫୦ ଗ୍ରାମ୍ର ରୁପା ଅଳଙ୍କାର ରହିଥିବା ପ୍ରଶାସନ ପକ୍ଷରୁ କରାଯାଇଥିବା ଆକଳନରୁ ଜଣାପଡ଼ିଛି ।
ଦ୍ୱିତୀୟ କାଟାଗୋରୀରେ ରହୁଥିବା ସୁନା ଅଳଙ୍କାର ଗୁଡ଼ିକ ଡବଲ ଲକ୍ରେ ରଖାଯାଇଥାଏ । ଏଥିରୁ ଗୋଟିଏ ଚାବି ମୁଖ୍ୟ ପ୍ରଶାସକଙ୍କ ନିକଟରେ ରହୁଥିବାବେଳେ ଅନ୍ୟ ଦୁଇଟି ଚାବିରୁ ଗୋଟିଏ ଗଜପତି ମହାରାଜଙ୍କ ନିକଟରେ ରହିଥାଏ । ଅନ୍ୟଟି ଭଣ୍ଡାର ମେକାପଙ୍କ ନିକଟରେ ରହେ । ଯେତେବେଳେ ବାହାର ରତ୍ନଭଣ୍ଡାର ଖୋଲିବାର ଆବଶ୍ୟକତା ରହିଥାଏ ସେତେବେଳେ ମୁଖ୍ୟ ପ୍ରଶାସକଙ୍କ ପ୍ରାଧିକୃତ ପ୍ରତିନିଧି, ଗଜପତି ମହାରାଜଙ୍କ ପ୍ରାଧିକୃତ ପ୍ରତିନିଧି, ଭଣ୍ଡାର ମେକାପ, ପାଟ୍ଟଯୋଶୀ ମହାପାତ୍ର, ଦେଉଳ କରଣ, ତଢ଼ାଉ କରଣ, ରତ୍ନଭଣ୍ଡାର ସବ୍କମିଟିର ସଦସ୍ୟ ଏବଂ ମନ୍ଦିର କମାଣ୍ଡରଙ୍କ ଉପସ୍ଥିତିରେ ଏହାକୁ ଖୋଲାଯାଏ । ଏ ସମସ୍ତ ଅଧିକାରୀ, ସେବକଙ୍କୁ ଖୋଲିବା ପୂର୍ବରୁ ଅବଗତ ମଧ୍ୟ କରାଯାଇଥାଏ ।
ପ୍ରଥମ କାଟାଗୋରୀରେ ରହୁଥିବା ଅଳଙ୍କାରକୁ ମଧ୍ୟ ଡବଲ ଲକ୍ରେ ରଖାଯାଇଥାଏ । ଏହାକୁ କମିଟି ପକ୍ଷରୁ ସିଲ୍ କରାଯାଇଥାଏ । ଏହାର ଚାବି ପ୍ରଶାସକଙ୍କ ପକ୍ଷରୁ ସରକାରୀ ତହବିଲ୍ ବା ଟ୍ରେଜେରୀରେ ରଖାଯାଇଥାଏ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଆଦେଶ ଆଧାରରେ କେବଳ ଭିତର ରତ୍ନଭଣ୍ଡାର ଖୋଲାଯାଇଥାଏ । ଶେଷଥର ପାଇଁ ଯେତେବେଳେ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ହୋଇଥିଲା ସେତେବେଳେ ୪୩୬୪ ଭରିର ୩୬୭ ପ୍ରକାରର ସୁନା ଅଳଙ୍କାର ରହିଥିଲା । ସେହିପରି ୧୪,୮୭୮ ଭରି ୬ ଅଣାର ୨୩୧ ପ୍ରକାରର ରୁପା ଅଳଙ୍କାର ରହିଥିଲା । ଏଥିରେ ୪ପ୍ରକାର ସୁନା ଏବଂ ୪ ପ୍ରକାର ରୂପା ଅଳଙ୍କାରର ଓଜନ କରାଯାଇ ନାହିଁ । ଅପରପକ୍ଷରେ ଭିତର ରତ୍ନଭଣ୍ଡାରରୁ ମହାପ୍ରଭୁଙ୍କ ବ୍ୟବହାର ପାଇଁ ୩,୩୭୦ ଭରି ୧୦ ଅଣାର ୫୮ ପ୍ରକାରର ରୂପା ଅଳଙ୍କାର ଏବଂ ୧୯ ଭରି ଦୁଇ ଅଣା ଦୁଇ ପଇସାର ଗୋଟିଏ ସୁନା ଅଳଙ୍କାର ଯାହାକୁ ‘ଚିତା’ କୁହାଯାଇଥାଏ ତାହାକୁ ନିଆଯାଇଛି ।
ବାହାର ରତ୍ନଭଣ୍ଡାରରେ ଥିବା ୮,୧୭୫ ଭରିର ୭୯ ପ୍ରକାର ସୁନା ଅଳଙ୍କାର, ୧୬୭୧ ଭରିର ୩୯ ପ୍ରକାରର ରୁପା ଅଳଙ୍କାର ଆଦି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ସ୍ୱତନ୍ତ୍ର ପୂଜା, ପର୍ବାଣୀରେ ଏହିସବୁ ଅଳଙ୍କାର ବାହାରକୁ ଆସିଥାଏ । ପ୍ରାଧିକୃତ ଅଧିକାରୀଙ୍କ ଉପସ୍ଥିତିରେ ପୁନଃଯାଞ୍ଚ୍ ପରେ ତାହା ପୁଣି ବାହାର ରତ୍ନଭଣ୍ଡାରକୁ ଫେରାଇ ନିଆଯାଏ । ମହାପ୍ରଭୁଙ୍କ ଦୈନଦିନ କାର୍ଯ୍ୟ ପାଇଁ ଆବଶ୍ୟକତା ପଡ଼ୁଥିବା ଅଳଙ୍କାର ତୃତୀୟ କାଟାଗୋରୀ ବା ଚଳନ୍ତି ରତ୍ନଭଣ୍ଡାରରୁ ନିଆଯାଇଥାଏ । ଏହି ଅଳଙ୍କାର କାର୍ଯ୍ୟ ଶେଷରେ ଭଣ୍ଡାର ମେକାପଙ୍କ ନିକଟକୁ ଫେରି ଆସିଥାଏ । ବର୍ତ୍ତମାନ ୨୯୯ ଭରି ଏକ ଅଣାର ୮ ପ୍ରକାର ସୁନା ଅଳଙ୍କାର, ୨୬୦୩ ଭରି ୮ ଅଣାର ୨୩ ପ୍ରକାର ରୁପା ଅଳଙ୍କାର ଏହି ରତ୍ନଭଣ୍ଡାରରେ ରହିଛି । ୨୦ କେଜି ୧୬୬ ଗ୍ରାମ୍ ୩୯୩ ମିଲିଗ୍ରାମ୍ର(୨୭୯ ଭରି ୧୫ ଅଣା ୧ ପଇସା) ସୁନା ଏବଂ ୨୬୬ କେଜି ୯୨୨ ଗ୍ରାମ୍ ୬୦୨ ମିଲିଗ୍ରାମ୍ର ରୁପାରେ ନୂତନ ଅଳଙ୍କାର କରାଯିବା ସହ ଏଥିରେ ମରାମତି କାର୍ଯ୍ୟ କରାଯାଇଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି ।
ରତ୍ନଭଣ୍ଡାର ଖୋଲିବା ନେଇ ଦିଲ୍ଲୀପ କୁମାର ମହାପାତ୍ର ମାମଲା ରୁଜୁ କରିଥିଲାବେଳେ ତାଙ୍କ ପକ୍ଷରୁ ଆଇନଜୀବୀ ଆଲୋକ କୁମାର ମହାପାତ୍ର ଏହାକୁ ପରିଚାଳନା କରୁଛନ୍ତି ।





