ରାଜ୍ୟ ସରକାର ଓ ପୋଲିସ ପ୍ରତିଶୋଧ ପରାୟଣ ହେବାରୁ ନିବୃତ ରୁହନ୍ତୁ: ଜୟନାରାୟଣ ମିଶ୍ର

ଭୁବନେଶ୍ଵର,୬/୩(ସତ୍ୟପାଠ ବ୍ୟୁରୋ): ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିତିଳତା ଓ ଅସ୍ପଷ୍ଟତା ଏବଂ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ପୋଲିସର ଜୁଲମ୍ ଓଡିଶାର ଜନମାନସକୁ ବିଚଳିତ କରିଛି ବୋଲି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟରେ ଶାସନ କେମିତି ଚାଲୁଛି ଓ କିଏ ଚଲାଉଛି ତାହା ଜଣାପଡୁନାହିଁ । ଏଭଳି କ୍ଷେତ୍ରରେ ମାନ୍ୟବର ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି ଏବଂ ତାଙ୍କୁ ହସ୍ତକ୍ଷେପ କରିବା ପାଇଁ ଆଜି ଅନୁରୋଧ କରିଛୁ ବୋଲି ଜୟନାରାୟଣ କହିଛନ୍ତି । ଏହି ପ୍ରସଙ୍ଗରେ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଆଜି ବିଜେପି ବିଧାୟକ ଓ ନେତୃବୃନ୍ଦ ମାନ୍ୟବର ରାଜ୍ୟପାଳଙ୍କୁ ଭେଟିଛନ୍ତି ।

ଏହି ଅବସରରେ ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ, ବିଚ୍ ରାସ୍ତାରେ ଜଣେ ପୋଲିସ ଏଏସ୍‌ଆଇ ହତ୍ୟା କରିବା ଭଳି ସଙ୍ଗୀନ ଘଟଣା ଓଡିଶାର ଜନମାନସକୁ ସ୍ତମ୍ଭୀଭୂତ କରିଥିଲା । ଏହି ଘଟଣା ଯେ କେବଳ ଓଡିଶାବାସୀଙ୍କ ମନରେ ପୋଲିସ ପ୍ରଶାସନ ଏବଂ ଆତ୍ମ ସୁରକ୍ଷା ପ୍ରତି ଏକ ଭୟର ବାତାବରଣ ସୃଷ୍ଟି କରିଛି ତାହା ନୁହେଁ ବରଂ ପରବର୍ତୀ ସମୟରେ ଯେଉଁଭଳି ଭାବରେ ପୋଲିସର ତଦନ୍ତ ଦିଗହରା ଓ ଭ୍ରମିତ ହୋଇଛି, ତାହା ଅନେକଙ୍କୁ ଦ୍ୱନ୍ଦରେ ପକାଇଛି । ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିରୁ ସ୍ଫଷ୍ଟ ଜଣାପଡୁଛି ଯେ ସରକାର ଏହି ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି ବୋଲି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଏଥିପ୍ରତି ଭୃକ୍ଷେପ ନକରି ଏ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ସହାୟତାରେ ନୀରିହ ଆନ୍ଦୋଳନକାରୀ, ରାଜନୈତିକ କାର୍ଯ୍ୟକର୍ତାଙ୍କ ଉପରେ ଅତ୍ୟାଚାର କରିବା ଅତ୍ୟନ୍ତ ନିନ୍ଦନୀୟ । ପୋଲିସ ପ୍ରତିଶୋଧ ପରାୟଣ ହୋଇ ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ ମିଛ ଦଫା ଲଗାଇ ବେଆଇନ ଭାବେ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତି କରୁଛନ୍ତି ଏହି ସନ୍ଦର୍ଭରେ ପୋଲିସର ଅମାନୁଷିକ ଅତ୍ୟାଚାର ଓ ବର୍ବରତା ବିରୋଧରେ ପ୍ରତ୍ୟେକ ପ୍ରମାଣ ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ସତ୍ୱେ ପୋଲିସ ବିରୁଦ୍ଧରେ କୌଣସି ଏତଲା ଗ୍ରହଣ ନକରାଯିବା ଏବଂ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ସ୍ୱେଚ୍ଛାଚାରୀ ଶାସନ ପରମ୍ପରାର ପରିଚୟ ଦେଉଛି । ତେଣୁ ସରକାର ଏବଂ ପୋଲିସ ପ୍ରତିଶୋଧ ପରାୟଣ ହେବାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଗତ କିଛି ବର୍ଷ ଧରି ଲଗାତାର ଭାବରେ ରାଜ୍ୟରେ ହତ୍ୟା, ଲୁଟ, ଦୁଷ୍କର୍ମ ଓ ନାରୀ ନିର୍ଯ୍ୟାତନାରେ ପ୍ରବଳତା କାରଣରୁ ସମାଜର ପ୍ରତ୍ୟେକ ବର୍ଗ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ୨୦୨୨ ବର୍ଷରେ ଅର୍ଥାତ୍ ଗୋଟିଏ ବର୍ଷରେ ରାଜ୍ୟରେ ୧୩୭୯ଟି ହତ୍ୟା ଓ ୩,୧୮୪ଟି ଧର୍ଷଣ ଭଳି ସଙ୍ଗୀନ ଅପରାଧିକ ଘଟଣା ରାଜ୍ୟରେ ଭୟ, ଆତଙ୍କ, ହତାଶା ଓ ନିରାଶାର ବାତାବରଣ ସୃଷ୍ଟି କରିଛି । ସବୁଠାରୁ ବଡ କଥା ହେଲା ଯେ ଏହିଭଳି ଘଟଣାକୁ ରୋକିବାରେ ପୋଲିସ କେବଳ ବିଫଳ ହୋଇଛି ତାହା ନୁହେଁ ବରଂ ଘଟଣା ଘଟିବା ପରେ ପୋଲିସର ତଦନ୍ତରେ ଅପାରଗତା ଯୋଗୁଁ ଦୋଷୀ ଦଣ୍ଡ ପାଇବାରୁ ବଂଚିତ ହେଉଛନ୍ତି, । ସେହିପରି ବିଗତ ଦିନ ମାନଙ୍କରେ ବହୁଚର୍ଚ୍ଚିତ ପରୀ, ପିହୁ, ଇତିଶ୍ରୀ, କୁନ୍ଦୁଲି, ମାହାଙ୍ଗା ତ୍ରିପଲ୍ ମର୍ଡର ଓ ମମିତା ଭଳି ଘଟଣାରେ ପୋଲିସ ଦୋଷୀକୁ ଘଂଟ ଘୋଡାଇବା ତଥା ରାଜ୍ୟର ପ୍ରଭାବଶାଳୀ ଶାସକ ଦଳର ନେତାଙ୍କୁ ବଂଚାଇବା ପାଇଁ ମନଗଢା କାହାଣୀ କହି ନୀରିହ, ନିଷ୍ପାପଙ୍କୁ ନ୍ୟାୟ ଦେବାରେ ବଂଚିତ କରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ମାନ୍ୟବର ରାଜ୍ୟପାଳ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଚରମ ବିଫଳତାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ବିଧାୟକଦଳ ତରଫରୁ ଅନୁରୋଧ କରାଯାଇଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

Related Posts