ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ: ଏସଆରସି

ଭୁବନେଶ୍ୱର,୨/୫(ସତ୍ୟପାଠ ବ୍ୟୁରୋ): ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ସବୁ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର୍ ସତ୍ୟବ୍ରତ ସାହୁ। ସେ କହିଛନ୍ତି, ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ସମ୍ଭାବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ସମୀକ୍ଷା କରି ସାରିଛନ୍ତି। ତେବେ ସାଧାରଣତଃ ଗ୍ରୀଷ୍ମକାଳୀନ ବାତ୍ୟା ଏପ୍ରିଲ କିମ୍ବା ମେ ମାସରେ ଆସିଥାଏ। ଯାହାର ଅନୁମାନ ଲଗାଇବା କଷ୍ଟକର ହୋଇଥାଏ। ତେବେ ଯଦି ଲଘୁଚାପ ବାତ୍ୟାର ରୂପ ନିଏ ତେବେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି। ଏଥିପାଇଁ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।

ଖାଲି ସେତିକି ନୁହେଁ, ଜିରୋ କାଜୁଆଲିଟି ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ତେଣୁ ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ଆଗୁଆ ପ୍ରସ୍ତୁତି କରିଥାନ୍ତି। ଯଦି ବାତ୍ୟା ହୁଏ ତେବେ ସରକାର ପୂରା ପ୍ରସ୍ତୁତ ଅଛନ୍ତି। ଓଡ୍ରାଫ୍‌, ଏନଡିଆରଏଫ୍‌, ଅଗ୍ନିଶମ ବାହିନୀ ସହିତ ଜରୁରୀକାଳୀନ ସେବା ପ୍ରଦାନ କରୁଥିବା ସମସ୍ତ ସଂସ୍ଥାକୁ ମଧ୍ୟ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ଅନ୍ୟପଟେ ଏହି ଲଘୁଚାପ ସମ୍ପର୍କରେ ଟିକନିକ୍ ଖବର ରଖିବା ପାଇଁ ଗତକାଲିଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ସେବା ଆରମ୍ଭ ହୋଇଛି। ୨୪ ଘଣ୍ଟା ଅଫିସରମାନେ ଏହି କଣ୍ଟୋଲ ରୁମରେ ରହିବା ସହିତ ପ୍ରତିଟି ସୂଚନା ରଖିବେ। ତା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖିବା ସହିତ ଆବଶ୍ୟକସ୍ଥଳରେ ସ୍କୁଲ ଗୃହକୁ ମଧ୍ୟ ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି।

ସେପଟେ ସବୁ ବିଭାଗ ନିଜର ପ୍ରସ୍ତୁତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଜରୁରୀକାଳୀନ ସ୍ଥିତି ପାଇଁ କଣ ପଦକ୍ଷେପ ନିଆଯାଇଛି ତାହାର ବିସ୍ତୃତ ସୂଚନା ଦେଇଛନ୍ତି। କୌଣସି ଅସୁବିଧା ରହିଲେ ଏସଆରସିଙ୍କ ସହ ଯୋଗାଯୋଗ କରିବାକୁ ଲୋକଙ୍କୁ ଅପିଲ କରାଯାଇଛି। ବାତ୍ୟାକୁ କିଭଳି ସଠିକ୍ ଢଙ୍ଗରେ ମୁକାବିଲା କରାଯାଇପାରିବ ତାହାର ପ୍ରସ୍ତୁତି ବୈଠକ ହୋଇଥିଲା। ବାତ୍ୟାକୁ ପୂର୍ବରୁ ଯେପରି ମୁକାବିଲା କରିଛୁ, ଏଥର ବାତ୍ୟା ହେଲେ ବି, ସେମିତି ମୁକାବିଲା କରିବୁ ବୋଲି ଏସଆରସି କହିଛନ୍ତି।

Related Posts