ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନ ଧରି ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଛି | ଏନେଇ ଅନେକ ଆନ୍ଦୋଳନ ବିଗତ ଦିନରେ ହୋଇଥିବା ବେଳେ ଅନେକ ରାଜନୀତି ମଧ୍ୟ ହୋଇଛି | ତେବେ ଆଜି ମେଡିକାଲ କଲେଜ ନେଇ ରାଜ୍ୟ ସରାକରଙ୍କ କୋର୍ଟକୁ ବଲ ଫିଙ୍ଗିଛି ବିଜେପି | ଭଦ୍ରକରେ ଆଜି ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ଦିନ ମେଡିକାଲ କଲେଜ ପାଇଁ ସୁପାରିଶ କରିବେ ସେହିଦିନ ଭଦ୍ରକ ମେଡିକାଲ କଲେଜକୁ ଅନୁମତି ମିଳିବ |
ଯେପର୍ଯ୍ୟନ୍ତ ରାଜ୍ୟ ସରକାର ସୁପାରିଶ ନକଲେ କେନ୍ଦ୍ର ସରକାର ମେଡିକାଲ କଲେଜ କିଭଳି କରିବେ ବୋଲି ମନମୋହନ ପ୍ରଶ୍ନ କରିଛନ୍ତି | ଏହାସହିତ ରାଜ୍ୟ ସରକାର ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ମେଡିକାଲରେ ଖାଲିଥିବା ଡାକ୍ତର ପଦବୀ ପୂରଣ ନେଇ ଘୋଷଣାକୁ ସମାଲୋଚନା କରି ମନମୋହନ କହିଛନ୍ତି ଯେ, ଏହା ରାଜ୍ୟ ସରକାରଙ୍କ ଏକ ଫମ୍ପା ଘୋଷଣା | ସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ରାଜ୍ୟର ସବୁ ମେଡିକାଲରେ ଖାଲିଥିବା ଡାକ୍ତର ପଦବୀ ପୂରଣ କରିବା ଅସମ୍ଭବ | ତେଣୁ ସରକାର ପ୍ରଥମେ ମେଡିକାଲ କଲେଜ ପାଇଁ ସୁପାରିଶ କରନ୍ତୁ | ସବୁ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ ହେଲେ ରାଜ୍ୟରେ ଡାକ୍ତର ଅଭାବ ରହିବେ ନାହିଁ ବୋଲି ସେ କହିଛନ୍ତି |
ସେପଟେ ମନମୋହନଙ୍କ ଏହି ମନ୍ତବ୍ୟ ନେଇ ରାଜ୍ୟ ସରକାର କିମ୍ବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ପ୍ରକୃତରେ ଭଦ୍ରକରେ କେବେ ମେଡିକାଲ କଲେଜ ସ୍ଥାପନ ହେଉଛି ତାହା ଦେଖିବାକୁ ବାକି ରହିଲା |





