ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଆଉ ରତ୍ନ ନ ଥିବା ଆଶଙ୍କା ହେଉଛି। ଯଦି ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲନ୍ତି ତାହାଲେ ସରକାର ଭାଙ୍ଗିଯିବ। ରାଜ୍ୟ ସରକାର ସାଧାରଣ ଜନତାଙ୍କ ଆକ୍ରୋଶର ଶିକାର ହେବେ। ତେଣୁ ଏହି ପ୍ରସଙ୍ଗକୁ ଗୋଳିଆ କରିବା ପାଇଁ ବାରମ୍ବାର ଉପ-ପ୍ରସଙ୍ଗ ତିଆରି କରାଯାଉଛି। ତେବେ ରତ୍ନଭଣ୍ଡାରେ ରତ୍ନ ସୁରକ୍ଷିତ ଅଛି ବୋଲି ପ୍ରମାଣ ଦେଇ ରାଜ୍ୟ ସରକାର କଂଗ୍ରେସର ଅଭିଯୋଗକୁ ମିଥ୍ୟା ପ୍ରମାଣିତ କରନ୍ତୁ ବୋଲି ଆହ୍ବାନ କରିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।
ଶନିବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ନକଲି ଚାବି ଖୋଜିବା ପାଇଁ ଦୁଇଟି ଟିମ୍ ଗଠନ କରିଥିଲେ। କିନ୍ତୁ ଅସଲି ଚାବି ଖୋଲିବା ପାଇଁ କୌଣସି ପଦକ୍ଷେପ ନେଇ ନ ଥିଲେ। ସାରା ରାଜ୍ୟ ରତ୍ନଭଣ୍ଡାର ଖୋଲିବା ଦାବିରେ ଉଠୁଥିବା ପଡ଼ୁଥିବା ବେଳେ ଏହି ପ୍ରସଙ୍ଗର ଉଷ୍ମତାକୁ ପ୍ରଶମିତ କରିବା ପାଇଁ ସରକାର ବିଚାର ବିଭାଗୀୟ ତଦନ୍ତ କମିସନ ଗଠନ କରିଥିଲେ। ଜଷ୍ଟିସ୍ ରଘୁବୀର ଦାସ କମିସନ ୨୦୧୮ ମସିହାରେ ତାଙ୍କ ରିପୋର୍ଟ ପ୍ରଦାନ କରିସାରିଛନ୍ତି। ମାତ୍ର ଏ ରିପୋର୍ଟ ବିଧାନସଭାରେ ଉପସ୍ଥାପନ ହେଉନାହିଁ କି ରିପୋର୍ଟ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ରତ୍ନଭଣ୍ଡାର ଚାବି ହଜିବା ଏକ ସରକାରୀ ପ୍ରାୟୋଜିତ କାର୍ଯ୍ୟକ୍ରମ। ରାଜ୍ୟବାସୀଙ୍କ ଚାପ ଓ ରତ୍ନଭଣ୍ଡାର ଖୋଲିବା ନେଇ ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତିର ୫ବର୍ଷ ପରେ ମଧ୍ୟ ସରକାର ରତ୍ନଭଣ୍ଡାର ଖୋଲୁ ନାହାନ୍ତି। ତେଣୁ ସରକାରଙ୍କ ଜ୍ଞାତସାରରେ ରତ୍ନଭଣ୍ଡାର ଲୁଟ୍ ହେଉଥିବା ସୂଚାଉଛି। ମୂଳ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ରାଜ୍ୟ ସରକାର ଅହରହ ଉଦ୍ୟମ ଜାରି ରଖିଛନ୍ତି।
ସେ ଆହୁରିମଧ୍ୟ କହିଥିଲେ ଯେ ୧୯୭୮ ମସିହାରେ ବିଡି ଶର୍ମା ରାଜ୍ୟପାଳ ଥିବା ସମୟରେ ଶ୍ରୀଜଗନ୍ନାଥ ମନ୍ଦିରର ସୁପରିଚାଳନା ପାଇଁ ଏକ କମିଟି ଗଠନ ହୋଇଥିଲା। ଏହି ସମୟରେ କେତେ ସୁନା, ରୁପା ଇତ୍ୟାଦି ଭଣ୍ଡାରରେ ରହିଛି ତାହା ହିସାବ ହୋଇଥିଲା। ତେଣୁ ରାଜ୍ୟ ସରକାର ତୁରନ୍ତ ରତ୍ନଭଣ୍ଡାର ଖୋଲି ପୁନଃ ଏକ ତାଲିକା ପ୍ରକାଶ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ ଓ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।





